୩ ମାସ ପରେ ଚାଲିଲା ଭସାପୋଲ

ବ୍ରହ୍ମଗିରି: ଦୀର୍ଘ ତିନିମାସ ଧରି ଚିଲିକାରେ ଭସାପୋଲ ବନ୍ଦ ପଡିବା ପରେ ଏବେ ଏହା ଯାତ୍ରୀ ପରିବହନ ଆରମ୍ଭ କରିଛି। ଗତ ୩ ଦିନ ହେଲା ଭସାପୋଲ ସ୍ବାଭାବିକ ହୋଇଛି। ସୂଚନାଯୋଗ୍ୟ, ଜାନୁୟାରି ୧୭ ତାରିଖରେ ଚିଲିକାରେ ବାର୍ଷିକ ସବେର୍କ୍ଷଣ ଚାଲିଥିବାବେଳେ ଭସାପୋଲ ଚଳାଇବାକୁ କିଛି ଯୁବକ ଭସାପୋଲ ଚାଳକଙ୍କୁ ବାଧ୍ୟ କରିଥିଲେ। ସମୟ ହୋଇ ନଥିବାରୁ ସେ ଭସାପୋଲ ଚଳାଇ ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଏହା ପରେ ଏହି ଯୁବକମାନେ ସାତପଡାସ୍ଥିତ ସିଡିଏ କାର୍ଯ୍ୟାଳୟ ଭିତରେ ପଶି ସିଡିଏର ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାତପଡା ଥାନାରେ କରିଥିବା ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା। ତେବେ ସିଡିଏ କର୍ମଚାରୀଙ୍କୁ ସୁରକ୍ଷା ଦାବି କରି ସାତପଡାସ୍ଥିତ ସିଡିଏ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାରୁ ଭସାପୋଲ ସେବା ବନ୍ଦ ରହିଥିଲା। ଆନ୍ଦୋଳନ ପରେ ଅନ୍ୟାନ୍ୟ ସେବା ସ୍ବାଭାବିକ ହୋଇଥିଲେ ମଧ୍ୟ ଭସାପୋଲ ଚାଲିନଥିଲା। ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଥିଲା। ଚିଲିକାରେ ବିପଦ ସଙ୍କୁଳ ଜଳଯାତ୍ରା ଚାଲିଥିଲା। ତେବେ ଗତ ତିନି ଦିନ ହେଲା ଚିଲିକାରେ ଏହି ଭସାପୋଲ ପୂର୍ବଭଳି ଯାତ୍ରୀ ପରିବହନ ଆରମ୍ଭ କରିଛି। ଦ୍ବିପାଞ୍ଚଳ ଲୋକଙ୍କ ସୁବିଧା ପାଇଁ ଚିଲିକାର ସାତପଡା ଘାଟରୁ ଜହ୍ନିକୁଦା ଘାଟକୁ ଏହି ଭସାପୋଲ ପ୍ରତ୍ୟକ ଦିନ ୮ ଥର ଯାତାୟାତ କରିଥାଏ। ଛୋଟବଡ ଗାଡ଼ି ସହିତ ଲୋକଙ୍କୁ ସୁରକ୍ଷିତ ଅବସ୍ଥାରେ ଚିଲିକା ପାରି କରିଥାଏ।

ସମ୍ବନ୍ଧିତ ଖବର