ଏଟିଏମ୍‌ ମେସିନ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ

ପୁରୀ :ପୁରୀର ଜନଗହଳିପୂର୍ଣ୍ଣ ସ୍ଥାନ କୁହାଯାଉଥିବା ଡାକ୍ତରଖାନା ଛକରେ ଥିବା ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଏଟିଏମ୍‌ ମେସିନ୍‌କୁ ଭାଙ୍ଗି ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଡାକ୍ତରଖାନା ଛକରେ ଥିବା ଏହି ଏଟିଏମ୍‌ ମେସିନ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିଲେ ମଧ୍ୟ ଏହି ଖବର କାହାରି ପାଖରେ ନଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ଅପରାହ୍ନ ୫ଟାରେ ଏହା ଜାଣିବା ପରେ ବ୍ୟାଙ୍କ ମ୍ୟାନେଜର ରାଇକିଶୋର ମହାନ୍ତି ଏ ନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି କୁମ୍ଭାରପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସନ୍ଧ୍ୟାରେ ସିଟି ଡିଏସ୍‌ପି ପ୍ରଶାନ୍ତ ପଟ୍ଟନାୟକ ଓ କୁମ୍ଭାରପଡ଼ା ଥାନା ଆଇଆଇସି ଅଭିମନ୍ୟୁ ନାୟକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁରର ସହାୟତାରେ ପୁଲିସ ଅନୁସନ୍ଧାନ ଚଳାଇଥିଲେ ବି ଆଜି ରବିବାର ହୋଇ ଥିବାରୁ ପୁଲିସର ତଦନ୍ତ ଆଗେଇ ପାରିନାହିଁ। ତେବେ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହାନ୍ତିଙ୍କ ଅନୁସାରେ, ଗତ ଶୁକ୍ରବାର ଦିନ ଏହି ଏଟିଏମ୍‌ରେ ୮ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା। ଶୁକ୍ରବାରଠାରୁ ଗତକାଲି ରାତି ମଧ୍ୟରେ ଏହି ମେସିନରୁ ଉପଭୋକ୍ତାମାନେ ଟଙ୍କା ଉଠାଇଥିଲେ। ଅବଶିଷ୍ଟ ସମସ୍ତ ଟଙ୍କାକୁ ଲୁଟେରା ଗ୍ୟାଙ୍ଗ ଲୁଟି ନେଇଛନ୍ତି। ତେବେ ଏଟିଏମ୍‌ରୁ କେତେ ଟଙ୍କା ଲୁଟ୍‌ ହୋଇଛି ତାହା ସୋମବାର ଅନୁଧ୍ୟାନ ପରେ ଜଣାପଡିବ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି। ସେହିପରି ଗତ ବିଳମ୍ବିତ ରାତିରେ ନିରାକାରପୁର ଶ୍ରୀରାମ ବଜାରସ୍ଥିତ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଥିବା ଏକ ଏକ୍ସିସ୍‌ ଏଟିଏମ୍‌କୁ ଦୁବୃର୍ତ୍ତମାନେ ଭାଙ୍ଗି ୧୧ ଲକ୍ଷ ୨୨ ହଜାର ୬ ଶହ ଟଙ୍କା ଲୁଟି ନେଇଛନ୍ତି।

କଣାସରେ ଏଟିଏମ୍‌ରୁ ଲୁଟ୍‌

କଣାସ : କଣାସ ଥାନା ଜଙ୍କିଆ ବଜାରରେ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌କୁ କଟରେ କାଟି ଟଙ୍କାଲୁଟ ହୋଇଛି। ଶନିବାର ବଳିମ୍ବିତ ରାତିରେ ଦୃର୍ବୁତ୍ତମାନେ ଆସି ଏଟିଏମର ଟଙ୍କା ବାକ୍ସକୁ କାଟି ତାହାକୁ ନେଇ ଯାଇଥିବା ଜଣାପଡ଼ିଛି। ଖବର ପାଇ କଣାସ ଥାନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁରୀ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିନେଇଛନ୍ତି। ସୂଚନା ଯେ ଏହି ଏଟିଏମ୍‌କୁ ଦୃର୍ବୁତ୍ତମାନେ ପୂର୍ବରୁ ୩ଥର ଭାଙ୍ଗିଥିଲେ ମଧ୍ୟ ଟଙ୍କା ନେବାରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର