ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକ୍ରମଣ

ପୁରୀ : ବେଳାଭୂମିରେ ଫଟୋ ଉଠାକୁ କେନ୍ଦ୍ର କରି ଆଜି କିଛି ପର୍ଯ୍ୟଟକଙ୍କୁ ଦଶ ପନ୍ଦର ଜଣ ଘେରି ଚୌକିରେ ନିସ୍ତୁକ ପିଟିଛନ୍ତି। ଏହି ସଂଘବଦ୍ଧ ଆକ୍ରମଣରେ ବିଞ୍ଝାରପୁର ବରପଦାରୁ ଆସିଥିବା ବଳରାମ ମହାଳିକ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‌ ବଳରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି। ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ଏହା ଅତିଥି ଦେବୋ ଭବଃ ଉକ୍ତିକୁ ପୁଣି ଉପହାସ କରିଛି।

ଖବର ନେବାରେ ଜଣାପଡ଼ିଛି ଯେ ବିଞ୍ଝାରପୁର ବରପଦାରୁ ବଳରାମଙ୍କ ସମେତ କେତେକ ପର୍ଯ୍ୟଟକ ଆଜି ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଦିଗବାରେଣୀ ଛକ ପାର୍କିଂରେ ଗାଡ଼ି ରଖି ବେଳାଭୂମିକୁ ଯାଇଥିଲେ। ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବାବେଳେ କିଛି ଫଟୋଗ୍ରାଫର ଆସି ଫଟୋ ଉଠାଇବାକୁ କହିଥିଲେ। ତେବେ ଫଟୋ ବାବଦକୁ ୧୫ଶହ ଟଙ୍କା ଦାବି କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବଳରାମଙ୍କ ଗାଡ଼ିଚାଳକଙ୍କୁ ଜଣେ ଫଟୋଗ୍ରାଫର ମାଡ଼ ମାରିଥିଲେ। ବଳରାମ ଏହାର ପ୍ରତିବାଦ କରିବାରେ ଫଟୋଗ୍ରାଫରମାନେ ସଂଘବଦ୍ଧ ହୋଇ ତାଙ୍କୁ ମଧ୍ୟ ମାରପିଟ୍‌ କରିଥିଲେ। ନିକଟରେ ଥିବା ଚୌକିକୁ ଆଣି ଫଟୋଗ୍ରାଫରମାନେ ବଳରାମଙ୍କୁ ନିସ୍ତୁକ ଛେଚିଥିଲେ। ସଂଘବଦ୍ଧ ଆକ୍ରମଣରେ ବଳରାମ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ବଳରାମଙ୍କୁ ରକ୍ତାକ୍ତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

ଅନ୍ୟପଟେ ପର୍ଯ୍ୟଟକମାନେ ଫଟୋଗ୍ରାଫରମାନଙ୍କୁ ମାରପିଟ୍‌ କରିଥିବା ନେଇ ଫଟୋଗ୍ରାଫର ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ଆଜି ରାତିରେ ଫଟୋଗ୍ରାଫରମାନେ ଏକାଠି ହୋଇ ସମୁଦ୍ରକୂଳ ଥାନାକୁ ଆସି ପ୍ରତିବାଦ ଜଣାଇଛନ୍ତି। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରଥମେ ବଳିଆପଣ୍ଡା ଥାନା ଅନ୍ତର୍ଗତ ଯାତ୍ରୀକା ନିକଟରେ ବିବାଦ ଆରମ୍ଭ ହୋଇଥିଲା। ଆହତ ପର୍ଯ୍ୟଟକ ବଳରାମ କହିଛନ୍ତି ଯେ ଫଟୋଗ୍ରାଫର ତାଙ୍କ କହିବାଠାରୁ ଯଥେଷ୍ଟ ଅଧିକ ଫଟୋ ଉଠାଇଥିଲେ। ସେ ତାଙ୍କୁ ମାତ୍ର ଦୁଇ ତିନୋଟି ଫଟୋ ଉଠାଇବାକୁ କହିଥିବାବେଳେ ପର୍ଯ୍ୟଟକଜଣକ ୫୦ରୁ ଅଧିକ ଫଟୋ ଉଠାଇ ତାଙ୍କଠାରୁ ୧୫୦୦ ଟଙ୍କା ଦାବି କରିଥିଲେ। ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ବଳିଆପଣ୍ଡା ଥାନା ଅନ୍ତର୍ଗତ ଯାତ୍ରୀକାଠାରେ ଗଣ୍ଡଗୋଳ ହେବା ପରେ ପର୍ଯ୍ୟଟକ ପୁରୀ ସମୁଦ୍ରକୂଳ ବୁଲିବାକୁ ଯାଇଥିଲେ। ସେଠାରେ ଫଟୋଗ୍ରାଫରମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସେ କହିଛନ୍ତି। ବଳିଆପଣ୍ଡା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣାକୁ ନେଇ ପୁରୀ ବେଳାଭୂମିରେ ପର୍ଯ୍ୟଟକ ଅସୁରକ୍ଷିତ ମଣୁଛନ୍ତି। ପୁରୀ ବେଳାଭୂମିରେ ଅନୈତିକ କାର୍ଯ୍ୟକଳାପ ବଢ଼ିଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର