ଭୁଜାଲିରେ ହାଣି ଯୁବକଙ୍କୁ ହତ୍ୟା

ପୁରୀ : ପୁରୀ ଟାଉନ ଥାନା ହରଚଣ୍ଡି ସାହି ଢ଼ିପ ଜାଗାର ରାମଚନ୍ଦ୍ର ମାର୍ଥାଙ୍କ ପୁଅ ମହେଶ୍ୱର ମାର୍ଥାଙ୍କୁ ତାଙ୍କ ଘର ସାମ୍ନାରେ ଭୁଜାଲିରେ ହାଣି ନୃଶଂସ ଭାବେ ହତ୍ୟା କରାଯିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ୟପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମହେଶ୍ୱରଙ୍କୁ ଏକ ଫୋନ୍‌ କଲ ଆସିଥିଲା। ଯେଉଁଥିରେ ତାଙ୍କୁ ଆକ୍ରମଣ ପାଇଁ ଧମକ୍‌ ଦିଆଯାଇଥିଲା। ଫୋନ୍‌ କଲ ପାଇବା ପରେ ମହେଶ୍ୱର ଏହାର ମୁକାବିଲା ପାଇଁ ଘର ସାମ୍ନାରେ ଏକ ବାଡି ଧରି ଅପେକ୍ଷା କରିଥିଲେ। ମାତ୍ର ମହେଶ୍ୱର ଏଭଳି ସଂଘବଦ୍ଧ ଆକ୍ରମଣ ହେବ ବୋଲି ଆକଳନ କରିପାରିନଥିଲେ। ପ୍ରାୟ ୭ ଜଣ ଯୁବକ ତାଙ୍କ ଘର ସାମ୍ନାରେ ପହଞ୍ଚି ମହେଶ୍ୱରଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣରେ ମହେଶ୍ୱର ରକ୍ତାକ୍ତ ହୋଇ ତଳେ ପଡ଼ିଯାଇ ଚିତ୍କାର କରିଥିଲେ। ଘର ଭିତରେ ଥିବା ତାଙ୍କ ମା ବାହାରକୁ ଦୌଡି ଆସିବାରୁ ଦୁର୍ବୃତ୍ତମାନେ ମହେଶ୍ୱରଙ୍କୁ ଛାଡ଼ି ଫେରାର ହୋଇ ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହେଶ୍ୱରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ଭୋଳା ବାରିକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର