ନୂଆ ସମୀକରଣର ଆଭାସ ଦେଲେ ଧର୍ମେନ୍ଦ୍ର

ପୁରୀ : ରାଜ୍ୟରେ ଶାସକ ବିଜେଡି ଓ କଂଗ୍ରେସକୁ ପ୍ରତିହତ କରିବା ପାଇଁ ରାଜ୍ୟର ଯେ କୌଣସି ବିରୋଧୀ ରାଜନୈତିକ ଶକ୍ତି ସହିତ ବିଜେପି ହାତ ମିଳାଇବାକୁ ପ୍ରସ୍ତୁତ। ଆଜି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମନ୍ତବ୍ୟ ଦେଇଛନ୍ତି। କେବଳ ସେତିକି ନୁହେଁ, ଉଭୟ ଡାକ୍ତର ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ବୟାନ କରିଛନ୍ତି।

ଆସନ୍ତା ୨୩ ତାରିଖରୁ ପୁରୀରେ ଆରମ୍ଭ ହେବାକୁ ଯାଉଛି ବିଜେପି ମହିଳା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ତିନିଦିନ ଧରି ଚାଲିବାକୁ ଥିବା ଏହି ବୈଠକର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୈଠକର ରୂପରେଖ ସଂପର୍କରେ ସୂଚନା ଦେଇଥିଲେ। ପରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ବେଳେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ଆଭାସ ଦେଇଥିଲେ। ବିଜେଡ଼ିରୁ ବହିଷ୍କୃତ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ଗ୍ରହଣ କରିବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଡାକ୍ତର ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଗଲା। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ସେ ଆକ୍ଷେପ କରିଥିବା କଥା କୁହାଗଲା। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଦାମବାବୁ ଦୁର୍ନୀତି ବିଶେଷ କରି ସମବାୟ ଦୁର୍ନୀତି କଥା କହିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା। ଏବେ ପୁଣି ଥରେ ଦୁର୍ନୀତି ପ୍ରସଙ୍ଗ ଉଠାଇବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ସେହିଭଳି ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକପ୍ଟର ଉଡାଇବା ପ୍ରସଙ୍ଗରେ ଶ୍ରୀ ପ୍ରଧାନ ପୁରୀ ପୁଲିସର ଆଭିମୁଖ୍ୟକୁ ନିନ୍ଦା କରିଥିଲେ। ଗତକାଲି ଗଣମାଧ୍ୟମରେ ବୈଜୟନ୍ତଙ୍କୁ ସମନ କରାଯିବ ବୋଲି ଏସ୍‌ପି କହିବା ପରେ ଶ୍ରୀ ପ୍ରଧାନ ତାଙ୍କୁ ସମାଲୋଚନା କରିଛନ୍ତି। ଆଇନ ଆଖିରେ ସମସ୍ତେ ସମାନ, ସମସ୍ତଙ୍କ ପାଇଁ ସମାନ ବ୍ୟବସ୍ଥା ହେବା ଉଚିତ୍‌। ଯିଏ ଦୋଷ କରିଛି ତାକୁ ଦଣ୍ଡ ମିଳିବା ଉଚିତ୍‌ ବୋଲି ସେ କହିଥିଲେ।

ହୋଟେଲ ଗୋଲଡେନ୍‌ ପ୍ୟାଲେସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ମହିଳା କାର୍ଯ୍ୟକାରିଣୀ ବୈଠକ ସଂପର୍କରେ ବିସ୍ତତ ସୂଚନା ଦେଇଥିଲେ। ଆସନ୍ତା ୨୪ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପୁରୀ ଶରଧାବାଲି ସଭାରେ ଉଦ୍‌ବୋଧନ ଦେବେ। ସେଠାରୁ ଆସି କାର୍ଯ୍ୟକାରିଣୀ ବୈଠକକୁ ଉଦ୍‌ଘାଟନ କରିବେ। କାର୍ଯ୍ୟକାରିଣୀରେ ବହୁ କେନ୍ଦ୍ର ମନ୍ତ୍ରୀ, ବିଜେପି ସାଂସଦ, ବିଧାୟକଙ୍କ ସହିତ ରାଜ୍ୟର ସମସ୍ତ ମହିଳା କର୍ମକର୍ତ୍ତା ଶରଧାବାଲି ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜିର ଏହି ସାମ୍ବାଦିକ ସମ୍ମିଳୀନରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଦଳର ବରିଷ୍ଠ ନେତା ସମୀର ମହାନ୍ତି, ପୃଥୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର