ବ୍ରହ୍ମଗିରି ବିଧାନସଭା : ଏଥର ଲୁଲୁ ବିନା ବ୍ରହ୍ମଗିରି, ହାଟ୍ରିକ ପାଇଁ ସଂଜୟ ପ୍ରସ୍ତୁତ

ପ୍ରତିଶୋଧ ପାଇଁ ଲଳିତେନ୍ଦୁ, ଯୋଡିବା ପାଇଁ ବ୍ୟଗ୍ର କଂଗ୍ରେସ

ପୁରୀ, (ଗଦାଧର ପଣ୍ଡା): ପୁରୀ ଲୋକସଭା ଆସନର ପ୍ରମୁଖ ନିର୍ବାଚନମଣ୍ଡଳୀ ବ୍ରହ୍ମଗିରିର ଭୋଟର ଏଥର ଏକ ନିଆରା ଅନୁଭବ ପାଇଁ ପ୍ରସ୍ତୁତ। ବ୍ରହ୍ମଗିରିର ଲଢୁଆ ନେତା ତଥା ୪ଥର ବିଧାୟକ ହୋଇ ବିଜେଡିକୁ ପାଣି ପିଆଉଥିବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ମୃତ୍ୟୁ ପରେ ଏଥର ବ୍ରହ୍ମଗିରିରେ ପୁଣିଥରେ ଷଣ୍ଢ ଲଢେଇ ହେବ ନା କେହି ଏକ ନିର୍ଦିଷ୍ଟ ଦଳ ଏକ ପାଖିଆ ବାଜି ମାରିନେବ, ବିଭାଜିତ କଂଗ୍ରେସ ପୁଣିଥରେ ଏକାଠି ହୋଇ ଲଢିବ ନା ଲୁଲୁ ବ୍ରାଣ୍ଡ୍ ବୋଲି ବିଜେପି କଂଗ୍ରେସ ଭୋଟରଙ୍କୁ ପ୍ରଭାବିତ କରିବାରେ ସଫଳ ହେବ ତାକୁ ନେଇ ବ୍ରହ୍ମଗିରି ଭୋଟରଙ୍କ ହୃଦସ୍ପନ୍ଦନ ଏବେଠୁ ତୀବ୍ର ହେଲାଣି। ଏଠାରେ ବିଜେଡି ଓ ବିଜେପିର ପ୍ରାର୍ଥୀତ୍ବକୁ ନେଇ ଦ୍ବନ୍ଦ୍ବ ନ ଥିବା ବେଳେ କଂଗ୍ରେସ ଦୁଇ ପ୍ରମୁଖ ଦଳକୁ ମୁକାବିଲା ପାଇଁ ଜଣେ ଭଲ ପ୍ରାର୍ଥୀ ଖୋଜୁଛି। ପୁରୁଣା କଂଗ୍ରେସକୁ ଯୋଡିବା ପ୍ରକ୍ରିୟା ଆରମ୍ଭ କରିଛି। ବ୍ରହ୍ମଗିରି ବ୍ଲକର ୨୫ ପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ୨୧ ଓ ପୁରୀ ସଦର ବ୍ଲକର ୧୧ ପଞ୍ଚାୟତ ମୋଟ ୫୭ ପଞ୍ଚାୟତକୁ ନେଇ ଗଠିତ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୧୪ ହଜାର ୨୯୪ ଭୋଟର ଏଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ।

ରାଜ୍ୟସ୍ତରୀୟ ଷ୍ଟଲୱାର୍ଟମାନେ ସର୍ବଦା ବ୍ରହ୍ମଗିରି ଆସନକୁ ଗୁରୁତ୍ବ ଦେଇଥାନ୍ତି। ଲଗାତର ଦୁଇଥର ବିଧାୟକ ହୋଇଥିବା ତଥା ବିଜେଡିର କ୍ରାଇସିସ୍ ମ୍ୟାନେଜର କୁହାଯାଉଥିବା ବିଧାୟକ ସଂଜୟ ଦାସବର୍ମା, ଲୁଲୁଙ୍କ ପରଲୋକ ପରେ ଏହି ଆସନକୁ ସହଜରେ ଦଖଲ କରିବେ ବୋଲି ଯୋଜନା କରୁଥିଲେ। ତେବେ ବିରୋଧୀମାନେ ଏହାକୁ ସହଜ କରାଇ ନଦେବାକୁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ସୂଚନା ମୁତାବକ, ବିଜେଡି ନେତା ସଂଜୟ ଦାସବର୍ମା ଗତ ୨୦୦୪ ନିର୍ବାଚନରେ ବ୍ରହ୍ଗଗିରିରୁ ବିଜେଡି ଟିକେଟରେ ନିର୍ବାଚନ ଲଢିଥିଲେ। ପ୍ୟାରୀମୋହନ ମହାପାତ୍ରଙ୍କ ଆଶୀର୍ବାଦରେ ଶ୍ରୀ ଦାସବର୍ମା ବିଜେଡି ଟିକଟରେ ଲୁଲୁଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସଂଜୟ ପ୍ରଥମ ଥରରେ ନିଜର ସ୍ଥିତି ଜାହିର କରିଥଲେ। ୨୦୦୪ ନିର୍ବାଚନ ହାରିଯାଇଥିଲେ ବି ଶ୍ରୀ ଦାସ ବର୍ମା ଲଢେଇକୁ ଆରପାର କରିଥିଲେ। ସେ ବର୍ଷ ଲୁଲୁ ୭୦,୪୯୩ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ଦାସବର୍ମା ୬୫,୨୧୩ ଖଣ୍ଡ ଭୋଟ ପାଇ ସ୍ଥିତି ମଜବୁତ କରିଥିଲେ। ମାତ୍ର ୨୦୦୯ରେ ପୁଣିଥରେ ବିଜେଡି ସଂଜୟଙ୍କୁ ଭରସା କରି ଟିକେଟ ଦେଇଥିଲା। ଏଥର ସେ କୌଣସି ସୁଯୋଗକୁ ହାତଛଡା କରିନଥିଲେ। ୨୦୦୪ର ବିପରୀତ ଫଳ ୨୦୦୯ରେ ଫଳିଥିଲା। ଅର୍ଥାତ ସଂଜୟ ୭୦,୫୩୩ ଖଣ୍ଡ ଭୋଟ ପାଇଥିବା ବେଲେ ଲୁଲୁ ୬୫, ୬୪୭ ଖଣ୍ଡ ଭୋଟ ପାଇଥିଲେ। ସେହିଭଳି ୨୦୧୪ରେ ମଧ୍ୟ ଦଳ ସଂଜୟଙ୍କୁ ଟିକେଟ ମିଳିଥିଲା। ଗତଥର ମଧ୍ୟ ଲଢେଇ ଜୋରଦାର ହୋଇଥିଲା। ସଂଜୟ ୭୮, ୬୭୫ ଖଣ୍ଡ ଭୋଟ ପାଇଥିବା ବେଳେ ଲୁଲୁ ୭୭, ୩୩୪ ଖଣ୍ଡ ଭୋଟ ପୁଣିଥରେ ପରାସ୍ତ ହୋଇଥିଲେ।

ତେବେ ୨୦୧୬ରେ ନଭେମ୍ବରରେ ଲୁଲୁଙ୍କ ପରଲୋକ ପରେ ବ୍ରହ୍ମଗିରି କଂଗ୍ରେସ ଅନିଶ୍ଚିତତା ଭିତରକୁ ଚାଲିଯାଇଥିଲା। ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ଓ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କଂଗ୍ରେସରେ ଦଳ ଛାଡି ବିଜେପିରେ ଯୋଗଦେଇଥିଲେ। ଲଳିତେନ୍ଦୁ ବିଜେପିରେ ଯୋଗଦେବା ପରେ କଂଗ୍ରେସ ଦୁଇ ଭାଗ ହୋଇଥିଲା। କିଛି ମୂଳ ଆଦର୍ଶବାଦୀ କଂଗ୍ରସ ଦଳରେ ରହିଥିଲେ। ଆଉ କିଛି ଲଳିତେନ୍ଦୁଙ୍କ ସହିତ ବିଜେପି ଆଡକୁ ଢଳିଥିଲେ। ତେବେ ଲୁଲୁଙ୍କ ଭଳି ଲଳିତେନ୍ଦୁଙ୍କ ଗ୍ରହଣୀୟତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏଠାରେ କଂଗ୍ରେସ ଭୋଟ ଦୁଇ ଭାଗ ହୋଇଥିଲା। ଆସନ୍ତା ନିର୍ବାଚନ ପାଇଁ ବିଜେଡିରୁ ଏକମାତ୍ର ଦାବିଦାର ଭାବେ ବିଧାୟକ ଶ୍ରୀ ଦାସବର୍ମା ରହିଥିବା ବେଳେ ବିଜେପିରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଏକମାତ୍ର ଦାବିଦାର ଅଛନ୍ତି। ତେବେ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଦେବ ତରାଇ ମଧ୍ୟ ଆଶାୟୀ ରହିଛନ୍ତି। କଂଗ୍ରେସରୁ ଇଂ ସେଖ୍ ସକିଲ ଉଦ୍ଦିନ(ଗୋପୀ), ଆଇନଜୀବୀ ଉମାକାନ୍ତ ବରାଳ ଓ ଶିକ୍ଷାବିତ୍ ବାବନାମ୍ବାର ବାରିକ ପ୍ରମୁଖ ଆଶାୟୀ ରହିଛନ୍ତି।

ଗତ ୨୦୧୪ ନିର୍ବାଚନ ଫଳାଫଳ

ଦଳ           ପ୍ରମୁଖ ପ୍ରାର୍ଥୀ                ପାଇଥିବା ଭୋଟ
ବିଜେଡି     ସଂଜୟ ଦାସବର୍ମା                  ୭୮୬୭୫
କଂଗ୍ରେସ    ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର   ୭୭,୩୩୪
ବିଜେପି      ଦେବ ତରାଇ                       ୩୨୭୭

ସମ୍ବନ୍ଧିତ ଖବର