ପୁରୀ: ଚିଲିକାରୁ ମୃତ ‘ଥଣ୍ଟିଆ ଡଲଫିନ୍‌’ ଉଦ୍ଧାର, ମାସକ ଭିତରେ ଦ୍ୱିତୀୟ ଘଟଣା

ବ୍ରହ୍ମଗିରି: ଏସିଆ ମହାଦେଶର ବୃହତ୍ତମ ଲୁଣି ହ୍ରଦ ‘ଚିଲିକା’ରୁ ଶୁକ୍ରବାର ଏକ ମୃତ ‘ଥଣ୍ଟିଆ ଡଲଫିନ୍‌’ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଅରଖକୁଦା ଥାନାର ଢୋଲକୁଦା ନିକଟ ଜଳରାଶିରୁ ମୃତ ଡଲଫିନ୍‌କୁ ଉଦ୍ଧାର କରାଯାଇଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ପୁରୀ ଜିଲ୍ଲା ସାତପଡ଼ା ବନାଞ୍ଚଳ ଅଧିକାରୀ ମାନସ ରଂଜନ ମହାପାତ୍ର କହିଛନ୍ତି, ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ବନ ବିଭାରଗର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ମୃତ ଡଲଫିନ୍‌କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଥଣ୍ଟିଆ (ବଟଲ ନୋଜ୍‌) ଡଲଫିନ୍‌ର ଲମ୍ବ ପାଖାପାଖି ୭ ଫୁଟ୍‌, ୪.୫ଫୁଟ ଗୋଲେଇ ଏବଂ ୧୫୦ କିଲୋ ହେବ। ସମୁଦ୍ରରୁ ଭାସିଆସି ଚିଳିକା କୂଳରେ ଉଦ୍ଧାର ହୋଇଥିବା ଡଲଫିନ୍‌କୁ ବନ ବିଭାଗର କର୍ମଚାରୀମାନେ ରାତିସାରା ଜଗିବେ। ମୃତ ଡଲଫିନ୍‌ର ପୋଷ୍ଟମର୍ଟମ ପାଇଁ ଶନିବାର କୃଷ୍ଣପ୍ରସାଦରୁ ଭେଟୋନରି ସର୍ଜନ ସାତପଡ଼ା ଯିବେ।

ସୂଚନାଯୋଗ୍ୟ ଗୋଟିଏ ମାସ ମଧ୍ୟରେ ଚିଲିକାର ବୃହତ୍ତ ଜଳରାଶିରୁ ୨ଟି ଡଲଫିନ୍‌ର ମୃତଦେହ ଉଦ୍ଧାର ହୋଇଛି। ପୂର୍ବରୁ ଚିଲିକା ପକ୍ଷୀ ଅଭୟାରଣ୍ୟରୁ ଏକ ମୃତ ଡଲଫିନ୍‌କୁ ଉଦ୍ଧାର କରାଯାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ ଚିଳିକା ଗର୍ଭରୁ ୪ଟି ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଚିଲିକାରେ ବାରମ୍ବାର ଡଲଫିନ୍‌ର ମୃତଦେହ ଉଦ୍ଧାର ହେବା ଘଟଣା ନେଇ ପ୍ରକୃତି ପ୍ରେମୀଙ୍କ ମନରେ ଆଘାତ ଲାଗିଛି।

ସମ୍ବନ୍ଧିତ ଖବର