ଛାତ୍ରୀଙ୍କୁ କମେଣ୍ଟ ମାରିବାକୁ ନେଇ ଉତ୍ତେଜନା

କଣାସ: ଜଣେ କଲେଜ ଛାତ୍ରୀଙ୍କୁ ରାସ୍ତାରେ କମେଣ୍ଟ ମାରିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ପ୍ରତିଶ୍ରୁତି ଦେଲା ପରେ ଉତ୍ତେଜନା ପ୍ରଶମିତ ହୋଇଛି। ପ୍ରକାଶ ଯେ, ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ନଡୁଆପୂରସ୍ଥିତ ମା ଭଗବତୀ ସଂସ୍କୃତ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ କଣାସ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର କାଳୁଚରଣ ରାଉତରାୟଙ୍କ ପୁଅ ଚିନ୍ମୟ ରାଉତରାୟ (୨୩) କଲେଜ ଆସିବା ବେଳେ ବାରମ୍ବାର ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରି କମେଣ୍ଟ ମାରୁଥିଲା। ଏପରିକି ଛାତ୍ରୀଟିର ମୋବାଇଲ ନମ୍ବର ମାଗିଥିଲା। ମୋବାଇ ନମ୍ବର ନଦେବାରୁ ଛାତ୍ରୀଙ୍କୁ ଧମକଚମକ ଦେଇ ଗାଳିଗୁଲଜ କରିଥିଲା।

ସଂପୃକ୍ତ ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ମାତ୍ର କଲେଜ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେଇ ଉକ୍ତ ଯୁବକ ଘରକୁ ଯାଇ ଘଟଣା ବିଷୟରେ ପଚାରିବା ପାଇଁ କହିଥିଲେ। ପରେ କିଛି ଛାତ୍ରଛାତ୍ରୀ ଘଟଣା ସଂପର୍କରେ ପଚାରିବାକୁ ଯିବା ସମୟରେ ଯୁବକର ପରିବାର ଲୋକେ ଛାତ୍ରଛାତ୍ରୀମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଅଭିଯୁକ୍ତ ଯୁବକ ଜଣେ ଛାତ୍ରୀଙ୍କ ତଣ୍ଟି ଚିପି ଦେବା ସହ ଅନ୍ୟ ୨ ଜଣ ଛାତ୍ରଙ୍କୁ ମାଡ ମାରିଥିଲା। ଏପରିକି ଏକ ମଦ ବୋତଲକୁ ଭାଙ୍ଗି ଜଣେ ଛାତ୍ରୀଙ୍କୁ ଭୁସିଦେବା ପାଇଁ ଉଦ୍ୟମ କରିଥିଲା। ଭଙ୍ଗା ବୋତଲ ମାଡରେ ଜଣେ ଛାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକମାନେ ଘଟଣା ସମ୍ପର୍କରେ ଜାଣିବା ପରେ ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ଥାନାକୁ ଆସି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଥିଲେ। ଥାନା ଅଧିକାରୀ ସଂଜୟ ନାୟକ ୧୧୦/୧୮ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି। ଅଭିଯୁକ୍ତର ଗିରଫ ଦାବିରେ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ଥାନାରେ ବସି ରହିଥିଲେ।

ସମ୍ବନ୍ଧିତ ଖବର