ଯୁବକଙ୍କୁ ଅପହରଣ ଅଭିଯୋଗ

ପୁରୀ: ଜଣେ ଯୁବକଙ୍କୁ ମାଡ଼ ମାରି ଅପହରଣ କରିନେଇ ଘରେ ବାନ୍ଧି ରଖିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଆଜି ବାପ ପୁଅକୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପଟେ ଅପହୃତ ଯୁବକ ଜଣକ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ଇଛାପୁର ନିବାସୀ ପ୍ରତାପ ପ୍ରଧାନ ଗତ ୯ ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ସିଦ୍ଧମହାବୀର ରେଳ ଫାଟକ ଦେଇ ଯାଉଥିଲେ। ଏହି ସମୟରେ ତାଙ୍କୁ ଗୋପ ଥାନା ଅନ୍ତର୍ଗତ ନାଗପୁର ନିବାସୀ ମିଥୁନ ମହଲା(୨୨) ମାରପିଟ୍ କରି ସେଠାରେ ଅଟକାଇଥିଲା। ଏହାପରେ ମିଥୁନର ବାପା ନାରାୟଣ ମହଲା(୩୮) ସେଠାରେ ପହଞ୍ଚି ପ୍ରତାପଙ୍କୁ ଟେକି ନେଇଥିଲେ। ବାପ ପୁଅ ଦୁହେଁ ପ୍ରତାପଙ୍କୁ ଅପହରଣ କରି ସେମାନେ ରହୁଥିବା କଣ୍ଢେଇ ଫ୍ୟାକ୍ଟ୍ରିସ୍ଥିତ ଘରକୁ ନେଇଯାଇଥିଲେ। ଏ ସମ୍ପର୍କରେ ନରେନ୍ଦ୍ର ତାଳବଣିଆ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ଉଭୟ ବାପ ପୁଅ ନାରାୟଣ ଓ ମିଥୁନକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର