ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହତ୍ୟା

ଡେଲାଙ୍ଗ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସକାଳେ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା ଘଟଣା ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ହତ୍ୟାକାଣ୍ଡ ପରେ ଅପରାଧୀମାନେ ଫେରାର ହୋଇଯାଇଛନ୍ତି। ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୁଲିସ ସତର୍କତାମୂଳକ ପଦକ୍ଷେପସ୍ୱରୂପ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରି ପରିସ୍ଥିତି ଉପରେ ନଜର ରଖିଛି।

ଅଭିଯୋଗରୁ ପ୍ରକାଶ, ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ବ୍ରଜବନ୍ଧୁ ବଳବନ୍ତରାୟଙ୍କ ପୁଅ ନିରଞ୍ଜନ ବଳବନ୍ତରାୟ (୨୯) ଆଜି ସକାଳ ପ୍ରାୟ ୬ଟା ବେଳେ ୨ ସାଙ୍ଗଙ୍କ ସହ ଶୌଚ ପାଇଁ ଗାଁ ମୁଣ୍ଡ ପୋଖରୀକୁ ଯାଇଥିଲେ । ସେଠାରୁ ବାଇକ୍‌ ଯୋଗେ ତିନିଜଣ ଘରକୁ ଫେରୁଥିବା ବେଳେ ପୂର୍ବ ଶତ୍ରୁତା ଓ ଗ୍ରାମ୍ୟ ବିବାଦକୁ ନେଇ ଗାଁର ୧୨ଜଣ ସଶସ୍ତ୍ର ଯୁବକ ସେମାନଙ୍କୁ ଅଟକାଇଥିଲେ। ନିରଞ୍ଜନଙ୍କୁ ଅଟକ ରଖି ସାଙ୍ଗରେ ଥିବା ତାଙ୍କର ୨ ସାଙ୍ଗଙ୍କୁ ଚାଲିଯିବାକୁ ଧମକ ଦେଇଥିଲେ। ଉଭୟେ ଗାଁ ଭିତରକୁ ଯାଇ ଲୋକଙ୍କୁ ଡାକିବା ସମୟରେ ଅପରାଧୀମାନେ ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ ।

ନିରଞ୍ଜନ ଗାଡ଼ି ଛାଡ଼ି ଦୌଡିବା ସମୟରେ ସେମାନେ ଖଣ୍ଡା, ଫାର୍ସା, କଟୁରି, ଲୁହାଛଡ ଦ୍ୱାରା ତାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଗୋଡ଼କୁ ହାଣିଦେବାରୁ ନିରଞ୍ଜନ ଆଉ ଦୌଡ଼ି ନପାରି ତଳେ ପଡ଼ିଯାଇଥିଲେ । ରକ୍ତମୁଖା ଅପରାଧୀମାନେ ତାଙ୍କୁ ଚୋଟ ପରେ ଚୋଟ ପକାଇ ଲହୁଲୁହାଣ କରି ପକାଇଥିଲେ । ଏଥିରେ ତାଙ୍କର ଦୁଇହାତ, ଗୋଡ,ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ଖବର ପାଇ ନିରଞ୍ଜନଙ୍କ ବାପା ବ୍ରଜବନ୍ଧୁ, ବୋଉ ରିତା ଓ ଦାଦା ଲକ୍ଷ୍ମୀଧର ଘଟଣାସ୍ଥଳରେ ପହଞ୍ଚଯିବାରୁ ଅପରାଧୀମାନେ ବୋମା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ନିରଞ୍ଜନଙ୍କୁ ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସ୍ଥିତି ଉଦ୍‌ବେଗଜନକ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା । ତେବେ କିଛି ସମୟ ପରେ ସେଠାରେ ତାଙ୍କର ମୃତ୍ୟ ଘଟିଥିଲା ।

ଏପଟେ ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ପ୍ରକାଶ ଥାଉକି ଗତ ଏପ୍ରିଲ୍‌ ୧୨ ତାରିଖରେ ଏହି ଅଭିଯୁକ୍ତମାନେ ସେହି କୁଆପଦାର ପ୍ରସନ୍ନ ବୈରୀରଞ୍ଜନ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସେହି ସ୍ଥାନରେ ନିର୍ମମ ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର