ଅଣସର ଘରେ ମହାପ୍ରଭୁ : ଶ୍ରୀମନ୍ଦିର ଖାଁଖାଁ

ପୁରୀ : ମହାପ୍ରଭୁଙ୍କ ଲୀଳା ସତରେ ମହାନ୍‌। ଭାବଦିଆ ଠାକୁର ସେ। ଏଥି ପାଇଁ ଲକ୍ଷ ଲକ୍ଷ ଭକ୍ତ କାହିଁ କେତେ ଦୂରରୁ ଦୌଡ଼ି ଆସନ୍ତି କାଳିଆ ପାଖକୁ। ତେବେ ଗତକାଲିର ସ୍ନାନଯାତ୍ରା ପରେ ଶ୍ରୀଜିଉ ଜ୍ୱରରେ କମ୍ପୁଛନ୍ତି। ଏଥିପାଇଁ ଭକ୍ତଙ୍କୁ ଦର୍ଶନ ଦେବା ବଦଳରେ ଶ୍ରୀଜିଉ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ଶ୍ରୀଜିଉଙ୍କ ବିକଳ୍ପ ଭାବେ ପଟ୍ଟିଦିଅଁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ତେବେ ଶ୍ରୀଜିଉ ଅଣସର ପିଣ୍ଡିକୁ ଯିବା ପରେ ଶ୍ରୀମନ୍ଦିର ଯେପରି ଖାଁ ଖାଁ ହୋଇଯାଇଛି। ଗତକାଲିର ଜନଗହଳିପୂର୍ଣ୍ଣ ସ୍ନାନମଣ୍ଡପ ଆଜି ଶୂନ୍‌ଶାନ୍‌ ହୋଇଯାଇଛି। ସେପଟେ ଜନଗହଳିପୂର୍ଣ୍ଣ ସିଂହଦ୍ଵାରରେ ବି ଆଜି ଭକ୍ତଙ୍କ ସେତେଟା ଆଗମନ ଦେଖିବାକୁ ମିଳିନି। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥାନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରି କୋଟି ପୂଣ୍ୟ ଲାଭ କରିଥାନ୍ତି। ଏଥିପାଇଁ ସଦାସର୍ବଦା ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ରହିଥାଏ। ସବୁଠୁ ଅଧିକ ଗହଳଚହଳ ଦେଖିବାକୁ ମିଳିଥାଏ ସିଂହଦ୍ଵାରରେ। ସିଂହଦ୍ଵାର ବାଦ୍‌ ଅନ୍ୟ ଦ୍ଵାରରେ ବି ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। କିନ୍ତୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଭକ୍ତମାନେ ଯେପରି ନିରାଶା ଅନୁଭବ କରିଛନ୍ତି। ଶ୍ରୀମନ୍ଦିରରେ ଆଉ ସେପରି କୋଳାହଳ ଦେଖିବାକୁ ମିଳିନି। ଗତକାଲି ଯେଉଁଠି ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ଓ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଥିଲା ସେଠି ଆଜି ହାତଗଣତି ଭକ୍ତଙ୍କୁ ଦେଖିବାକୁ ମିଳିଛି। ସିଂହଦ୍ଵାର ଆଗରେ ରହିଥିବା ବ୍ୟାରିକେଡ୍‌ ବି ଆଜି ଖାଲି ପଡ଼ିଛି। ଜୁଲାଇ ୧୩ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ମହାପ୍ରଭୁ ଅଣସରରେ ରହୁଥିବାରୁ ଏହିଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖାଁ ଖାଁ ରହିବ ବୋଲି ଜଣାପଡ଼ିଛି। ସେପଟେ ଅଣସରରେ ରହିଥିବା ଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତମାନେ ଅଲାରନାଥ ପୀଠ ମୁହାଁ ହୋଇଛନ୍ତି। ସେଠାରେ ପ୍ରସାଦ ସେବନ ସହ ଅଲଣା କ୍ଷୀରିକୁ ଆନନ୍ଦରେ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର