କୁମୁଟିପାଟଣା ଗୁଳିକାଣ୍ଡ ଘଟଣା:ମୁଖ୍ୟ ଅଭିଯୁକ୍ତକୁ ଏନ୍‌କାଉଣ୍ଟର

ମାଉଜର୍‌ ସହ ଗୁଳି ଜବତ

ପୁରୀ: ସୋମବାର ରାତି ୮ଟାରେ କୁମୁଟିପାଟଣାରେ ରାକେଶ ନାୟକଙ୍କୁ ୫ ରାଉଣ୍ଡ ଗୁଳି ମାରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୁଡ଼ୁକୁ ପୁଲିସ ମାତ୍ର ୪ ଘଣ୍ଟା ମଧ୍ୟରେ ଧରିବାରେ ସକ୍ଷମ ହୋଇଛି। ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଧରିବାକୁ ଯିବା ବେଳେ ସେ ପୁଲିସ ଉପରକୁ ଅତର୍କିତ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇବାରୁ ଗୁଡୁ ଜଖମ ହୋଇଛି। ଅଭିଯୁକ୍ତର ବାମ ଗୋଡ଼ରେ ଗୁଳି ବାଜିବା ପରେ ପୁଲିସ ତାକୁ କାବୁ କରି ଏକ ମାଉଜର ଓ ଗୁଳି ଜବତ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ।
ଆଇଜିଙ୍କ ସୂଚନା ମୁତାବକ, ଗୁଡ଼ୁ ଓରଫ ରଶ୍ମୀରଞ୍ଜନ ପଣ୍ଡାର ଘରକୁ କିଛି ମାସ ତଳେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ପୁଲିସ କହ୍ନେଇ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଅନ୍ୟପକ୍ଷରେ ନିଆଁ ଲଗାଇବା ଘଟଣାରେ ରାକେଶର ସମ୍ପୃକ୍ତି ନେଇ ଗୁଡ଼ୁ ସନ୍ଦେହ କରିଥିବା ବେଳେ ରାକେଶ ସେହି ଦିନରୁ ଫେରାର ହୋଇ ବାଙ୍ଗାଲୋରରେ ରହୁଥିଲା। ନି‌କଟରେ ରାକେଶ ପୁରୀକୁ ଫେରିଥିଲା। ଗତକାଲି ରାତି ୮ଟାରେ ସେ ସିଦ୍ଧ ମହାବୀର ଅଞ୍ଚଳରେ ଏକ ଦୋକାନ ପାଖରେ ବସିଥିବା ବେଳେ ଗୁଡ଼ୁ, ତା’ର ଭାଇ ଚନ୍ଦନ ପଣ୍ଡା ଏବଂ ଅନ୍ୟ ଦୁଇ ଜଣ ସେଠାରେ ପହଞ୍ଚି ତାକୁ ଗୋଟିଏ ରାଉଣ୍ଡ ଗୁଳି କରିଥିଲେ। ପରେ ଅଭିଯୁକ୍ତମାନେ ତାକୁ କୁମୁଟିପାଟଣା ଯାଗା ପଛପଟ ପଡ଼ିଆକୁ ନେଇଯାଇ ସେଠାରେ ପୁଣି ଚାରି ରାଉଣ୍ଡ ଗୁଳି କରିଥିଲେ। ରା‌କେଶର ଦୁଇଟି ଯାକ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ନାଳ ପାଖରେ ପଡ଼ିଯାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ରାକେଶକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ତାଙ୍କ ବାପା ଜଗନ୍ନାଥ ନାୟକ ତାଳବଣିଆ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଅଭିଯୁକ୍ତ ଗୁଡ଼ୁକୁ ଧରିବା ପାଇଁ ଆଇଆଇସି ଶ୍ରୀ ଲେଙ୍କାଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଅପରେସନ୍‌। ବିଳମ୍ବିତ ରାତିରେ ପୁଲିସ ଖୋଜାଖୋଜି କରିବା ବେଳେ ସେ ତାଳବଣିଆସ୍ଥିତ ଜନସ୍ବାସ୍ଥ୍ୟ ବିଭାଗର ୯ ନମ୍ବର ପାଣି ଚାମ୍ବର ନିକଟରେ ଥିବା ଖବର ମିଳିଥିଲା।
ତାଳବଣିଆ ଥାନା ଆଇଆଇସି ଧିରଜ ଲେଙ୍କା ଓ ଷ୍ଟାଫ୍‌ ସେଠାରେ ପହଞ୍ଚି ଗୁଡୁକୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ କବଳରୁ ବଞ୍ଚିବା ପାଇଁ ଗୁଡ଼ୁ ଖେଳିଥିଲା ଲୁଚକାଳି। ଛକାପଂଝା ଭିତରେ ଆଇଆଇସି ଶ୍ରୀ ଲେଙ୍କାଙ୍କୁ ଲକ୍ଷ୍ୟ କରି ହଠାତ ଦୁଇ ରାଉଣ୍ଡ ଫାଇରିଂ କରିଥିଲା। ଫଳରେ ଆଇଆଇସି ଶ୍ରୀ ଲେଙ୍କା ନିଜ ଜୀବନ ବଞ୍ଚାଇବାକୁ ଯାଇ ପାଲଟା ଗୁଳି ଚଳାଇଥିଲେ। ଆଣ୍ଠୁରେ ଗୁଳି ବାଜିବା ପରେ ପୁଲିସ ଗୁଡୁକୁ ଧରି ପୁରୀ ଡାକ୍ତରଖାନା ଓ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଛି। ସୁସ୍ଥ ହେବା ପରେ ତାକୁ କୋର୍ଟଚାଲାଣ କରାଯିବ ବୋଲି ଆଇଜି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି। ପୁଲିସ ସହିତ ଗୁଳି ବିନିମୟ ଅଭିଯୋଗରେ ତାଳବଣିଆ ଥାନାରେ ଗୁଡ଼ୁ ନାମରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର