ଜମିପଟ୍ଟା ଅଧିକାରୀ ପରିଚୟ ଦେଇ ଲୁଟିନେଲେ ୨୪ ହଜାର:ଥାନାର ଦ୍ବାରସ୍ଥ ହେଲେ ଗରିବ ଦମ୍ପତି

0 409

ପୁରୀ: ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଜାଗା ମିସନକୁ ଏବେ କିଛି ଦଲାଲ, ଲୁଟେରା ଖୋଲା ଆହ୍ବାନ ଦେଇଛନ୍ତି। ନିରୀହ ବସ୍ତିବାସିନ୍ଦାଙ୍କ ପାଖକୁ ଯାଇ ତମକୁ ଜାଗା ମିଳିଛି, ଏତିକି ଟଙ୍କା ଦେବାକୁ ପଡିବ। କାଗଜପତ୍ର କାମ ପାଇଁ ଏ ଟଙ୍କା ଖର୍ଚ୍ଚ ହେବ, ଏମିତି କଥା କହି ଅଭିନବ ଉପାୟରେ ଲୁଟ ଆରମ୍ଭ କରିଛନ୍ତି। ପୁରୀ ସହରର ବାଲି ଉପରବସ୍ତି, ରାମଚଣ୍ଡୀ ସାହିରେ ବୋତଲ ଗୋଟାଇ ପେଟ ପୋଷୁଥିବା ଏକ ଗରିବ ଦମ୍ପତି ଏଭଳି ଲୁଟର ଶିକାର ହୋଇଛନ୍ତି। ଦଲାଲ ପ୍ରଲୋଭନ ଦେଖାଇ ଏହି ଦମ୍ପତିଙ୍କଠାରୁ ଗତକାଲି ୨୪ ହଜାର ଟଙ୍କା ଲୁଟି ନେଇଛନ୍ତି। ଭୂମିହୀନ ଦମ୍ପତି ଏ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, କୁମ୍ଭାରପଡା ଥାନା ଅନ୍ତର୍ଗତ ବା‌ଲି ଉପର ରାମଚଣ୍ଡୀ ସାହିର ପ୍ରଭାତୀ ଜେନା ଓ ତାଙ୍କ ସ୍ବାମୀ ସୁବାସ ଜେନା ଏଭଳି ଲୁଟର ଶିକାର ହୋଇଛନ୍ତି। ଗତକାଲି ଜନୈକ ବ୍ୟକ୍ତି ନିଜକୁ ଜମି ପଟ୍ଟା ଅଧିକାରୀ ପରିଚୟ ଦେଇ ଏହି ଦମ୍ପତିଙ୍କୁ ଭେଟିଥିଲେ। ଦଲାଲ ଜଣକ ଦମ୍ପତିଙ୍କୁ ମିଛ କଥା କହି ଜମି ବାଦବଦରେ ତାଙ୍କ ଆକାଉଣ୍ଟକୁ ୧ ଲକ୍ଷ ୮୫ ହଜାର ଟଙ୍କା ଆସିଛି ବୋଲି କହିଥିଲେ। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ଆକାଉଣ୍ଟ ଖୋଲିବାକୁ ସଂପୃକ୍ତ ବ୍ୟକ୍ତି ଜଣକ କହିଥିଲା। ଏଥିପାଇଁ ଦମ୍ପତିଙ୍କଠାରୁ ସେ ଆଧାର କାର୍ଡ ମଧ୍ୟ ସଂଗ୍ରହ କରିଥିଲା। ଅପରାହ୍ନରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ଆସିବାକୁ କହିବାରୁ ଖୁସି ହୋଇ ଦମ୍ପତି ବ୍ୟାଙ୍କ୍ ନିକଟରେ ପହଞ୍ଚିଥିଲେ। ତେବେ ପୂର୍ବ ପ୍ରସ୍ତୁତି ମୁତାବକ, ଜଣେ ଯୁବତୀ ବ୍ୟାଙ୍କରେ ଉପସ୍ଥିତ ଥିଲେ। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସହିତ ଏଥି ପାଇଁ ୨୪ ହଜାର ଟଙ୍କା ଜମା କରିବାକୁ ପଡିବ ବୋଲି କହିଥିଲେ। ପାଖରେ ଟଙ୍କା ନାହିଁ ବୋଲି ଜେନା ଦମ୍ପତି କହିଥିଲେ। ଲୁଟ୍‌ ପାଇଁ ସମସ୍ତ ପ୍ରସ୍ତୁତି କରିଥିବା ଲୁଟେରା ପ୍ରଭାତୀଙ୍କୁ ଗାଡିରେ ବସାଇ ବଡଶଙ୍ଖ ଏଟିଏମ୍ କାଉଣ୍ଟରକୁ ଆଣିଥିଲା। ସେଠାରେ ଦୁଇ ଥରରେ ୨୦ ହଜାର ଟଙ୍କା ଉଠାଣ କରିଥିଲେ। ପ୍ରଭାତୀ ତାଙ୍କ ପାଖରେ ପାଖରେ ଥିବା ନଗଦ ୪ ହଜାରକୁ ମିଶାଇ ମୋଟ ୨୪ ହଜାର ଟଙ୍କା ଦେଇଥିଲେ। ପରେ ସେମାନେ ବ୍ୟାଙ୍କକୁ ଫେରିଥିଲେ। ସେଠାରେ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ବସିଥିବା ମହିଳା ଜଣକ ପ୍ରଭାତୀଙ୍କଠାରୁ ସମସ୍ତ କାଗଜପତ୍ର ଓ ଟଙ୍କା ରଖିଥିଲେ। ତେବେ ଗୋଟିଏ ଫଟୋ ଆଣିଥିବାରୁ ଆଉ ଏକ ଫଟୋ ଆଣିବାକୁ ପଡିବ ବୋଲି କହିଥିଲେ। ପ୍ରଭାତୀ ଘରୁ ଫଟୋ ନେଇ ବ୍ୟାଙ୍କ ଫେରିବା ପରେ ଉଭୟ ମହିଳା ଓ ପୁରୁଷ ଲୁଟେରାଙ୍କୁ ପାଇନଥିଲେ। ଖୋଜାଖୋଜି କରି ନିରାଶ ହେବା ପରେ ମୁଣ୍ଡପିଟି କାନ୍ଦିଥିଲେ ଏହି ଗରିବ ଦମ୍ପତି। ଏ ନେଇ ଉକ୍ତ ଦମ୍ପତି କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.