ମନ୍ଦିରରୁ ମୂର୍ତ୍ତି ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ନୂଆଗାଁସ୍ଥିତ ମା ଜୟଦୁର୍ଗାଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୂଲ୍ୟବାନ ମୂର୍ତ୍ତି ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି। ଚୋରି ହୋଇଥିବା ମୂର୍ତ୍ତି ଓ ସାମଗ୍ରୀର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଗ୍ରୀଲରେ ପଡିଥିବା ଗୋଟିଏ ତାଲା ଓ କବାଟରେ ପଡିଥିବା ଦୁଇଟି ତାଲାକୁ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ୭ଟି ପ୍ରଭା (ଠାକୁର ବସିଥିବା ଆସନ) ନେଇ ଯାଇଛନ୍ତି। ଏହି ପ୍ରଭାଗୁଡ଼ିକ ଅଷ୍ଟଧାତୁରେ ନିର୍ମିତ ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୮୦ କିଲୋଗ୍ରାମ୍‌ ହେବ। ଏହା ଛଡ଼ା ଦୁର୍ବୃତ୍ତମାନେ ଠାକୁରାଣୀଙ୍କର ୩ ଶହ ଗ୍ରାମ ଓଜନର ସୁନା ମୁକୁଟ, ୫ ଭରି ଓଜନର ସୁନା ଚେନ୍‌, ୨୦ ଗ୍ରାମ୍‌ ଓଜନର ସୁବର୍ଣ୍ଣ କୁଣ୍ଡଳ, ରୁପା ବେଲପତ୍ର, ରୁପା ଅର୍ଦ୍ଧଚନ୍ଦ୍ର ସହିତ ଅଷ୍ଟଧାତୁ ନିର୍ମିତ ନୀଳକଣ୍ଠେଶ୍ୱର ଦେବଙ୍କର ପ୍ରାୟ ଦେଢ ଫୁଟ ଉଚ୍ଚତାର ମୂର୍ତ୍ତିକୁ ନେଇ ଯାଇଛନ୍ତି। ଦୁର୍ବୃତ୍ତମାନେ ଯିବା ବେଳେ ମା ଜୟଦୁର୍ଗା, ମା କନକ ଦୁର୍ଗା, ଗୋପୀନାଥ ଦେବ ଓ ସୋମନାଥ ଦେବଙ୍କ ପ୍ରତିମୂର୍ତ୍ତିକୁ ଏକ କପଡାରେ ଗୁଡ଼ାଇ ମନ୍ଦିରର ଏକ କୋଣରେ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର