ମହିଳାମାନେ ସାମାଜିକ ପରିବର୍ତନ ଆଣିପାରିବେ: ସୌମ୍ୟ

ନିମାପଡ଼ା‌ରେ ମହିଳା ବିଜେଡି ପ୍ରଶିକ୍ଷଣ ଶିବିର

ନିମାପଡ଼ା : ମହିଳାମାନେ ଚାହିଁଲେ ସମାଜରେ ଅନେକ ପରିବର୍ତନ ଆଣିପାରିବେ। ଆଜି ନିମାପଡ଼ାରେ ମହିଳା ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି।

ସ୍ଥାନୀୟ ମୁକ୍ତାକାଶ ରଂଗମଞ୍ଚରେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା। ଶିବିରକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହିଳାମାନେ ଯେପରି ମୁଖ୍ୟସ୍ରୋତରେ ସାମିଲ ହୋଇ ଆଗକୁ ବଢ଼ିପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରଣୟନ କରିଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ ଜନକଲ୍ୟାଣ ଯୋଜନାରେ ବିଜେପି ଦଳ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଆଗାମୀ ନିର୍ବାଚନରେ ପୁଣି ବିଜେଡି ସରକାର ଗଠନ କରିବ। ଏଥିପାଇଁ ମହିଳାମାନେ କିଭଳି ଗ୍ରାମାଞ୍ଚଳରେ ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧି କରି ପାରିବେ ଓ ନିର୍ବାଚନରେ ଦଳକୁ ବିଜୟୀ କରି ପାରିବେ, ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

ଜଗତସିଂହପୁର ସାଂସଦ କୁଳମଣି ସାମଲ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ରାଜ୍ୟର ମହିଳାମାନେ ଏବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିଲେଣି। ସେହିଭଳି, ରାଜନୀତିରେ ମହିଳାଙ୍କ ଦକ୍ଷତା ବୃଦ୍ଧି ଲାଗି ଆଜିଭଳି କାର୍ଯ୍ୟକ୍ରମ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ କରାଯିବା ଆବଶ୍ୟକ ବୋଲି ବିଧାୟିକା ପ୍ରମିଳା ମଲ୍ଳିକ ମତ ରଖିଥିଲେ।

ବିଧାୟକ ସମୀର ରଂଜନ ଦାସ ତାଙ୍କ ଭାଷଣରେ ବିଜେପିକୁ ସମାଲୋଚନା କରିବା ସହିତ କେନ୍ଦ୍ରରେ କ୍ଷମତାକୁ ଆସିବା ପୂର୍ବରୁ ଦେଶବାସୀଙ୍କୁ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଏଯାଏ ପୂରଣ କରି ପାରି ନାହିଁ ବୋଲି ଅଭିଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍‌ ସଭାପତି ପ୍ରସନ୍ନ ମହାନ୍ତି, ନଗର ସଭାପତି ଜୀବନାନନ୍ଦ ମହାପାତ୍ର, ଗୋପ ବ୍ଲକ୍‌ ସଭାପତି ମଧୁସୂଦନ ପାଇକରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମନସ୍ବୀନି ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ। ନିମାପଡ଼ା ବ୍ଲକ୍‌ର କାର୍ଯ୍ୟକାରୀ ସଭାପତି ଅଶୋକ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସନ୍ତୋଷ ଓଝା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର