ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଜୀବନ ହାରିଲା ନାବାଳକ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ପୁରୀ/ଭୁବନେଶ୍ୱର: ମେଡିକାଲ ଡାକ୍ତରଙ୍କ ବ୍ୟକ୍ତିଗତ କ୍ଲିନିକ୍‌ରେ ଭୁଲ ଇଞ୍ଜେକସନ୍‌ ନେବାରୁ ସୋମବାର କେନ୍ଦ୍ରାପଡ଼ା ସହରରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହେବା ପରେ ପୁରୀ ଜିଲ୍ଲାର ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଇନ୍ଦିପୁର ଗ୍ରାମର ବିପ୍ର ମଲ୍ଲିକଙ୍କ ପୁଅ ଅଜୟ ମଲ୍ଲିକ(୧୦)କୁ ଆଜି ସକାଳୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅଜୟର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ହୋଇ ନଥିବା ସତ୍ତ୍ୱେ ଡାକ୍ତର ତାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ।

ଡାକ୍ତରଙ୍କ ପରାମର୍ଶ କ୍ରମେ ଅଜୟକୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଅଜୟକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ଡାକ୍ତରଙ୍କ ଅବହେଳା ଅଭିଯୋଗ କରି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଉତ୍ତେଜନା ଜାରି ରହିଛି।

କେନ୍ଦ୍ରାପଡ଼ାରେ ଆଜି ମେଡିକାଲ ଡାକ୍ତରଙ୍କ ବ୍ୟକ୍ତିଗତ କ୍ଲିନିକ୍‌ରେ ଭୁଲ ଇଞ୍ଜେକସନ୍‌ ନେବାରୁ ସୋମବାର ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଛି। ମିର ରମଜାନ୍‌ ବକ୍ସଙ୍କ ସ୍ତ୍ରୀ ତକ୍ସିମା ଫରିମ ୫ରୁ ୬ ମାସର ଗର୍ଭବତୀ ଥିଲେ। ସେ ଆଜି କେନ୍ଦ୍ରାପଡ଼ା ମେଡିକାଲ ରୋଡ଼ସ୍ଥିତ ଏକ ଘରୋଇ କ୍ଲିନିକକୁ ସ୍ୱାସ୍ଥ୍ୟ ଯାଞ୍ଚ ହେବାକୁ ଯାଇଥିଲେ। କ୍ଲିନିକରେ ଡାକ୍ତର କୁଳମଣୀ ବରାଳ ୩ଟି ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ନେବା ପରେ ତକ୍ସିମା ଫରିମ ଚେତାଶୂନ୍ୟ ହୋଇ ଯାଇଥିଲେ। ଏହା ପରେ ତକ୍ସିମାଙ୍କୁ ଡାକ୍ତର କୁଳମଣୀ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର