ଜୋର୍‌ ଧରିଲା ରତ୍ନଭଣ୍ଡାର ରାଜନୀତି : ୧୧ରୁ ବିଜେପିର ଜନଜାଗରଣ ଯାତ୍ରା

ପୁରୀ :  ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଚାବି ହଜିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିବାକୁ ଏକ ଖସଡ଼ା ପ୍ରସ୍ତୁତ କରିଛି।  ଚାବି ହଜିବା ପ୍ରତିବାଦରେ ରାଜ୍ୟ ବିଜେପି ଆସନ୍ତା ୧୧ ତାରିଖରୁ ରାଜ୍ୟ ତମାମ ଜନଜାଗରଣ ଯାତ୍ରା ଆରମ୍ଭ କରିବ ବୋଲି ଆଜି ପୁରୀ କ୍ଲବ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣା କୋଟି କୋଟି ଭକ୍ତଙ୍କ ଭାବାବେଗକୁ ପ୍ରଭାବିତ କରିଛି।

ନବକଳେବର ବ୍ରହ୍ମ ବିଭ୍ରାଟ, ନୀଳାଦ୍ରି ବିଜେ ବିଭ୍ରାଟ ଓ ମହାପ୍ରଭୁଙ୍କ ଉପବାସ ରଖିବା ଭଳି ଘଟଣା ଭକ୍ତଙ୍କୁ ନିରାଶ କରିଛି। ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଉନାହାନ୍ତି। ଏଭଳି ଏକ ସ୍ପର୍ଶକତାର ବିଷୟରେ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ସାଧାରଣ ଲୋକଙ୍କ ନଜର ହଟାଇବାକୁ  ମୁଖ୍ୟମନ୍ତ୍ରୀ ଖାଲି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀକୁ ଧରିବାକୁ ସରକାର ଆଇନଗତ ପଦକ୍ଷେପ ନେବା ବଦଳରେ ଏଭଳି ତଦନ୍ତ  ନିର୍ଦ୍ଦେଶ ଦେଇଥିବା ବିଜେପି ଅଭିଯୋଗ କରିଛି। ଏହି ଘଟଣାକୁ ବିଜେପି ନିନ୍ଦା କରିବା ସହିତ ଏହାର  ପ୍ରତିବାଦରେ ଆସନ୍ତା ୧୧ ତାରିଖ ଦିନ ସମସ୍ତ ଜିଲ୍ଲା ଓ ସବ୍‌ଡିଭିଜନ୍‌ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୧୨ ତାରିଖଠାରୁ ସପ୍ତାହ ବ୍ୟାପି ରାଜ୍ୟର ସମସ୍ତ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଓ ଏତଲା ଦିଆଯିବ। ଏଥି ସହିତ ରାଜ୍ୟରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ସମୂହ  ଦୀପଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହିତ  ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ବିଜେପି ନେତା ପ୍ରତାପ ଷଡଙ୍ଗୀ, ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ରାଜ୍ୟ ଉପସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ କୃଷ୍ଣ ପଣ୍ଡା ଓ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର