ଶାଶୂଙ୍କୁ ହତ୍ୟାକଲେ ଦୁଇ ବୋହୂ

ପୋଷ୍ଟମର୍ଟମ୍‌ ରିପୋର୍ଟରୁ ମିଳିଲା ସୁରାକ୍‌

ପୁରୀ/ସାକ୍ଷୀଗୋପାଳ: ପୁରୀ ସତ୍ୟବାଦୀ ଅଞ୍ଚଳରେ ୨ ବୋହୂ ନିଜ ଶାଶୂଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଛନ୍ତି। ଘଟଣାକୁ ଘୋଡ଼ାଇବା ପାଇଁ ସୁଚିନ୍ତିତ ଯୋଜନା କରି ଧରାପଡ଼ିଛନ୍ତି। ମୃତ ଶାଶୂଙ୍କ ପୋଷ୍ଟମର୍ଟମ ରିପୋର୍ଟ ପରେ ପ୍ରକୃତ ଘଟଣା ସାମ୍‌ନାକୁ ଆସିଛି। ପୁଲିସ୍‌ ୨ ଅଭିଯୁକ୍ତ ବୋହୂଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମୃତ ମହିଳା ହେଲେ, ସତ୍ୟବାଦୀ ଥାନା ଅନ୍ତର୍ଗତ ବସ୍ତପଡା ଗ୍ରାମର ସ୍ୱର୍ଗତ କାର୍ତ୍ତିକ ମହାରଣାଙ୍କ ପତ୍ନୀ ସାବିତ୍ରୀ ମହାରଣା (୬୦)। ଗତ ୨୯ ତାରିଖ ଦିନ ଦୁଇ ବୋହୂ ସନ୍ଧ୍ୟାରାଣୀ ମହାରଣା ଓ ମାନସୀ ମହାରଣା ତାଙ୍କ ତଣ୍ଟି ଚିପି ହତ୍ୟାକରି ପୋଖରୀରେ ଫିଙ୍ଗି ଦେଇଥିଲେ। ଏହାପରେ ଦୁହେଁ ନିଜନିଜର ସ୍ୱାମୀଙ୍କୁ ମା’ ନିଖୋଜ ହୋଇଯାଇଥିବା କହିଥିଲେ। ଘଟଣାର ୪ ଦିନ ପରେ ସାବିତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସନ୍ଦେହରୁ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପୁଲିସ୍‌ ଉଭୟ ସନ୍ଧ୍ୟାରାଣୀ ଓ ମାନସୀଙ୍କୁ ଜେରା କରିଥିଲେ। ଦୁହେଁ ନିଜର ଦୋଷ ମାନି ଯାଇଥିଲେ। ଆଜି ପୁଲିସ୍‌ ଦୁହିଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର