ପିପିଲି: ସାମୁଦ୍ରିକ ବାତ୍ୟା ‘ଫନି’କୁ ଦେଢ ମାସ ପୂରିଲା। ମାତ୍ର ଏବେ ବି ପିପିଲି ଅଞ୍ଚଳର ଅବସ୍ଥା ସୁଧୁରିନି। ଦୀର୍ଘ ଦିନ ଅପେକ୍ଷା କରିବା ପରେ ସରକାରୀ ସହାୟତା ଶୂନ। ମୁଣ୍ତ ଗୁଂଜିବାକୁ ଛପର ନାହିଁ। ଫଳରେ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ବିପନ୍ନମାନେ ଏବେ ଅଣ୍ଟା ଭିଡ଼ିଛନ୍ତି। ଖୋଲା ଆକାଶ ତଳେ ଆଉ କେତେଦିନ ରହିବେ। ସରକାରୀ ସହାୟତାକୁ ଅପେକ୍ଷା ନକରି, ଉଜୁଡ଼ି ଯାଇଥିବା ଘରକୁ ନିଜେ ନିଜେ ସଜାଡ଼ିବା ସହ ଝାଟିମାଟି ଘର ତୋଳିବା ଆରମ୍ଭ କରିଛନ୍ତି। ପିପିଲି ପୌରପରିଷଦ ଅନ୍ତର୍ଗତ ମଢିଆଳୀ ନୂଆହାଟର ଧଡ଼ୁ ବେହେରା (୫୫) ଓ ପତ୍ନୀ ସାବିତ୍ରୀଙ୍କର ୨ ବଖରା ଘର ବାତ୍ୟା ମାଡ଼ରେ ମାଟିରେ ମିଶି ଯାଇଥିଲା। ସରକାରୀ ସାହାଯ୍ୟକୁ ଅପେକ୍ଷା କରି ନିରାଶ ହେବା ପରେଏବେ ସେମାନେ ନିଜେ ନିଜେ ବାଉଁଶ ବତାରେ ମାଟିଝାଟି ଘର ତୋଳୁଛନ୍ତି। ଏହିଭଳି ହଜାର ହଜାର ବାସହରା ସରକାରୀ ସହାୟତାକୁ ଆଉ ଅପେକ୍ଷା ନକରି ମୁଣ୍ତ ଗୁଞ୍ଜିବାକୁ ଅକ୍ଲାନ୍ତ ପରିଶ୍ରମ କରି ବାସଗୃହ ନିର୍ମାଣ କରିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ବାତ୍ୟାରେ ପିପିଲି ଅଞ୍ଚଳରେ ୩୫ ହଜାରରୁ ଅଧିକ ଘର ଭାଙ୍ଗିଥିବା ବେଳେ ଲକ୍ଷାଧିକ ଲୋକେ ବାସହରା ହୋଇପଡ଼ିଛନ୍ତି। ଅନେକ ବାସହରାଙ୍କୁ ଅଦ୍ୟାବଧି ପଲିଥିନ୍ ମିଳି ନଥିବା ଅଭିଯୋଗ ହୋଇଛି। ବିଶେଷକରି ରାସନ୍ କାର୍ଡ ନଥିବା ବିପନ୍ନ ପରିବାର ଏବେ ବି ଖୋଲା ଆକାଶ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ହିତାଧିକାରୀ ଚୟନରେ ରାଜନୈତିକ ହସ୍ତକ୍ଷେପ ରହୁଥିବା ବେଳେ ପ୍ରକୃତ ହିତାଧିକାରୀ ଚୟନ ହୋଇପାରୁନି। ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ସରକାରୀ ସହାୟତା ମିଳିଲାନି ଉଜୁଡ଼ା ଘରକୁ ସଜାଡୁଛନ୍ତି ବାସହରା
/sambad/media/post_attachments/wp-content/uploads/2019/06/puri-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)