ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ : ଏତଲା ପରେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ୍

ପୁରୀ: ଘର ତିଆରିକୁ କେନ୍ଦ୍ର କରି ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ବୃଦ୍ଧାଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ବୃଦ୍ଧା ଜଣକ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବାଲିପଡ଼ା ଗାଁରେ। ଗୁରୁତର ବୃଦ୍ଧା ଜଣକ ହେଲେ ବାଲିପଡ଼ା ଗାଁର ବୀଣାପାଣି ମାର୍ଥାଙ୍କ ଶାଶୂ କୈଳାସ ମାର୍ଥା (୬୫)। ଏ ସଂପର୍କରେ ବୀଣାପାଣି ଗତ ୨୧ ତାରିଖରୁ ଗଡ଼ିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ପୁଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ପୁଲିସର ଏଭଳି ଅନ୍ୟାୟ କାମ ବିରୋଧରେ ବୀଣାପାଣି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିବେ ବୋଲି କହିଛନ୍ତି। ଅଭିଯୋଗ ମୁତାବକ, ବାଲିପଡ଼ାରେ ଖାତା ନଂ-୬୬ ଓ ପ୍ଲଟ୍ ନଂ-୫୯ରେ ଥିବା ୧୦ ଡେସିମିଲ୍ ଘରବାଡ଼ିରେ ଭାଇ ଭାଗବଣ୍ଟାକୁ କେନ୍ଦ୍ର କରି ସିଭିଲ୍ କେସ୍ ଚାଲିଛି। ବୀଣାପାଣିଙ୍କ ସ୍ବାମୀ ସତ୍ୟବାନ ମାର୍ଥା ଏହି ମାମଲା ଦାୟର କରିଛନ୍ତି। ମାମଲା ବର୍ତମାନ ବିରାଚାଧୀନ ଥିବାବେଳେ ବିପକ୍ଷ ଗୋଷ୍ଠୀ ଗତ ୨୧ ତାରିଖରେ ବିବାଦୀୟ ଜାଗାରେ ନିଅ ଖୋଳୁଥିଲେ। ଏହା ଦେଖି ସତ୍ୟବାନଙ୍କ ମାଆ କୈଳାସ ପ୍ରତିବାଦ ଜଣାଇଥିଲେ। କାହିଁକି ଏଠାରେ ଖୋଳାଖୋଳି କରୁଛ ବୋଲି ପଚାରିଥିଲେ। ଏଥିରେ ବିପକ୍ଷ ଗୋଷ୍ଠୀ କୈଳାସଙ୍କ ତଣ୍ଟଚିପି ତଳେ ପକାଇ ଦେବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ କୈଳାସଙ୍କ ନାକ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଖବର ପାଇ ସତ୍ୟବାନଙ୍କ ସ୍ତ୍ରୀ ବୀଣାପାଣି ଗୁରୁତର ଅବସ୍ଥାରେ କୈଳାସଙ୍କୁ ପ୍ରଥମେ କଣାସ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ପୁଅ ସତ୍ୟବାନ ରାଉରକେଲାରେ ଚାକିରି କରୁଥିବାରୁ ଏ ନେଇ ବୋହୂ ବୀଣାପାଣି ଗତ ୨୧ ତାରିଖରେ ଗଡ଼ିଶାଗୋଦା ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ଅଭିଯୋଗ ଗ୍ରହଣ କରିବା ବଦଳରେ ନାଲିଆଖି ଦେଖାଉଛି। ମିଛ ଦଫା ଲଗାଇ ଜେଲ ପଠାଇ ଦେବାକୁ ଧମକ ଦେଉଛି। ଏଭଳି ପରିସ୍ଥିତିରେ ଅସହାୟ ସତ୍ୟବାନ ରାଉରକେଲାରୁ ଆସି ଏସ୍‌ଡିପିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତାକାଲି ସେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର