ମନ୍ଦିରରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ

ନିରାକାରପୁର: ସ୍ଥାନୀୟ ଡିଆ ପଞ୍ଚାୟତର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ କପିଳେଶ୍ୱରଦେବଙ୍କ ମନ୍ଦିର ଭିତରେ ଗୁହାରିଆ ପଡ଼ିଥିବା ଜଣେ ମହିଳାଙ୍କୁ ରାତି ଅଧରେ ଦୁଷ୍କର୍ମ ଉଦ୍ୟମ କରୁଥିବା କପିଳେଶ୍ୱର ଗ୍ରାମର ମିଟୁ ମୁଦୁଲି ଓରଫ୍ କାପାଳୀ (୩୫)କୁ ଧରି ଗ୍ରାମବାସୀମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପରେ ସଂପୃକ୍ତ ମହିଳାଙ୍କ ଲିଖିତ ଅଭିଯୋଗ କ୍ରମେ ନିରାକାରପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟକୁ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଶରତ କୁମାର ପାଇକରାୟଙ୍କ ସୁତ୍ରରୁ ଜଣାଯାଇଛି। ଅଭିଯୋଗ ଅନୁଯାୟୀ, ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅଧୀନ ମୁଗୁପଦର ଗ୍ରାମର ପ୍ରଦୀପ କୁମାର ଛୋଟରାୟଙ୍କ ପତ୍ନୀ ଶର୍ମିଷ୍ଠା ଛୋଟରାୟ (୨୫) ନିଜର କୌଣସି ମନସ୍କାମନା ପୂରଣ ଉଦ୍ଦେଶ୍ୟରେ ଗତ ୨୮ ତାରିଖରୁ ଶ୍ରୀ କପିଳେଶ୍ୱରଦେବଙ୍କ ପୀଠରେ ଗୁହାରିଆ ପଡ଼ିଥିଲେ। ତେବେ ଗତ ୯ତାରିଖ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ କପିଳେଶ୍ୱର ଗ୍ରାମର ହାଡ଼ିବନ୍ଧୁ ମୁଦୁଲିଙ୍କ ପୁଅ ମିଟୁ ମନ୍ଦିର ଭିତରେ ଧସେଇ ପଶିବା ସହ ଶର୍ମିଷ୍ଠାଙ୍କ ଶାଢ଼ିକୁ ଟଣାଓଟରା କରି ଦୁଷ୍କର୍ମ ଉଦ୍ୟମ କରିଥିଲା। ଏଥିରେ ଶର୍ମିଷ୍ଠା ବାରଣ କରିବାରୁ ଅଭିଯୁକ୍ତ ମିଟୁ ତାଙ୍କୁ ମାଡ଼ ମାରିବା ସହ ଚୁଟିକୁ ଧରି ଟାଣିଥିଲା। ଶେଷରେ ସେ ନିରୁପାୟ ହୋଇ ତାର ବାମହାତ ବୁଢ଼ା ଆଙ୍ଗୁଳିକୁ କାମୁଡ଼ି ଜୋରରେ ପାଟି କରିବାରୁ ଅଭିଯୁକ୍ତ ଦୌ଼ଡ଼ି ପଳାଇ ଯାଇଥିଲା। ତେବେ ଶର୍ମିଷ୍ଠା ରାତିଶାରା ନିକଟ ଆମ୍ବତୋଟାରେ ଆତଙ୍କିତ ଅବସ୍ଥାରେ ରହି ରହି ସକାଳ ହେବାରେ ମନ୍ଦିରର ସେବାୟତମାନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସେହିଦିନଠାରୁ ଅଭିଯୁକ୍ତ ମିଟୁ କୁଆଡ଼େ ପଳାଇ ଯାଇଥିବା ବେଳେ ଗତକାଲି(ମଙ୍ଗଳବାର) ସ୍ଥାନୀୟ କିଛି ଯୁବକ ନିରାକାରପୁର ବଜାରରୁ ତାକୁ କାବୁ କରି ଗାଁକୁ ନେଇଥିଲେ। ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଅଭିଯୁକ୍ତକୁ ସେମାନେ ପୁଲିସ ଜିମା ଦେଇଥିଲେ। ସୂଚନାଯୋଗ୍ୟ, ମିଟୁ ବିବାହିତ ହୋଇଥିବା ବେଳେ ତାର ଗୋଟିଏ ପୁଅ ଓ ଝିଅ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର