କଣାସରେ ଆର୍‌ଆଇଙ୍କୁ ମାଡ଼

କଣାସ : ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା କଣାସ ବ୍ଲକ୍‌ ଗଡ଼ସାନପୁଟ ରାଜସ୍ୱ ସର୍କଲ ଆର୍‌ଆଇ ବିଷ୍ଣୁଚରଣ ମହାପାତ୍ରଙ୍କୁ ମାଡ଼ ହୋଇଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ତେବେ ତାଙ୍କୁ ସ୍ଥାନୀୟ କିଛି ଲୋକ ମାଡ଼ ମାରୁଥିବାର ଭିଡିଓ ମଧ୍ୟ ଆଜି ସୋସିଆଲ ମିଡିଆ ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି। ଏହି ଘଟଣାକୁ ଆଜି ରାଜ୍ୟ ଆର୍‌ଆଇ ସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଏହାକୁ ନେଇ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆର୍‌ଆଇ ଶ୍ରୀ ମହାପାତ୍ର ଗତ ରବିବାର ଗଡ଼ସାନପୁଟ ସର୍କଲ ଅନ୍ତର୍ଗତ ହଳଦିଆପଡ଼ା ଗ୍ରାମକୁ ଫସଲ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ। ଚାଷଜମିରେ ସେ କ୍ଷୟକ୍ଷତି ଆକଳନ କରି ସାରିବା ପରେ ସ୍ଥାନୀୟ ଲୋକେ ତାଙ୍କୁ କେତେ କ୍ଷୟକ୍ଷତି ହୋଇଛି ବୋଲି ରିପୋର୍ଟ ସଂପର୍କରେ ପ୍ରଶ୍ନ କରିଥିଲେ। ତେବେ ଏହି ପ୍ରଶ୍ନର ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଲୋକେ ତାଙ୍କୁ ମାଡ଼ ମାରିଥିବା ଆର୍‌ଆଇ କହିଛନ୍ତି। କ୍ଷୟକ୍ଷତି ଅଧିକ ହୋଇଥିବା ରିପୋର୍ଟରେ ଦର୍ଶାଇବାକୁ ଦାବି କରି ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ ମାରିଥିବା ଶ୍ରୀ ମହାପାତ୍ର କଣାସ ଥାନାରେ ଅଭିଯୋଗ କରିଛନ୍ତି। ରାଜ୍ୟ ଆର୍‌ଆଇ ସଂଘର ସଭାପତି ବସନ୍ତ ମହାନ୍ତି ଏହି ଘଟଣାରେ ପୁଲିସ ନିଷ୍କ୍ରିୟତାକୁ ନିନ୍ଦା କରିଛନ୍ତି। ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆର୍‌ଆଇମାନେ କାର୍ଯ୍ୟବନ୍ଦ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର