ଅଭିଯୁକ୍ତକୁ ଧରିବାକୁ ରାଜ୍ୟ ବାହା‌ରକୁ ଯିବ ପୁଲିସ

ପାରା ହତ୍ୟା ମାମଲାରେ ପୁଲିସ ହାତ ଖାଲି

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ହୋଇଥିବା ପାରା ହତ୍ୟା ମାମଲାରେ ପୁଲିସର ହାତ ଏବେ ବି ଖାଲି ରହିଛି। ତେବେ ଏହି ମାମଲାର ମୁଖ୍ୟ ଦୁଇ ଅଭିଯୁକ୍ତକୁ ଧରିବାକୁ ପୁଲିସର ଦୁଇଟି ଟିମ୍ ରାଜ୍ୟ ବାହାରକୁ ଯିବାକୁ ଯୋଜନା କରିଛି। ଗତ ୨୫ ତାରିଖରେ ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରରେ ରହୁଥିବା ପାରା ଓରଫ ସଞ୍ଜୟ ବେହେରା ନାକଚଣା ଦ୍ବାର ନିକଟକୁ ଆସିଥିଲା। ଏହି ସମୟରେ ସେଠାରେ ଡେଙ୍ଗା ମୁନା ଓ ଜିତୁ ପହଞ୍ଚିଥିଲେ। ପାରାକୁ ଦେଖିବା ମାତ୍ରକେ ମୁନା ଗୁଳି କରିଥିଲା। ଗୋଟିଏ ଗୁଳି ପାରାର କାନ୍ଧରେ ବାଜିବା ପରେ ସେ ତଳେ ପଡ଼ିଯାଇଥିଲା। ଲୋକେ କିଛି ବୁଝିବା ପୂର୍ବରୁ ମୁନାକୁ ନେଇ ଜିତୁ ବାଇକ୍‌ରେ ଫେରାର ହୋଇଯାଇଥିଲା। ଗୁରୁତର ପାରାକୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତା’ର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାକୁ ଭୁବନେଶ୍ବରରର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ପାରାର ମୃତ୍ୟୁ ହୋଇଥିଲା। ଏନେଇ ପାରାର ମା କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବାରୁ ପୁଲିସର ୩୦୨ ଦଫାରେ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ କେତେକ ଅପରାଧୀ୍କୁ ଧରିଆଣି ପଚରା ଉଚରା କରୁଥିବା ବେଳେ ପାରାର ସମର୍ଥକମାନେ ପୁରୀ ସହରାଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ। ପୁଲିସ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରି ବାନ୍ଧିଥିଲା। ନିକଟରେ ପୁଲିସ ନିମାପଡ଼ାରୁ ଡେଙ୍ଗା ମୁନାର ସମର୍ଥକ ସୁନୀଲ ସାମନ୍ତରାୟକୁ ଧରିବାରେ ସକ୍ଷମ ହୋଇଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ଦୁହେଁ ରାଜ୍ୟ ବାହାରକୁ ଚାଲିଯାଇଥିବା ପୁଲିସ ଜାଣିବା ପରେ ତାଙ୍କୁ ଧରିବା ପାଇଁ ପୁଲିସ ବାହାରକୁ ଯିବାପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର