ଫନି ଲ୍ୟାଣ୍ଡଫଲ କରିବା ପୂର୍ବରୁ ପୁରୀରେ ୧୭୫ ବେଗରେ ବୋହିଛି ପବନ, ଉପୁଡି ପଡ଼ିଲା ଶତାଧିକ ଗଛ, ଉଡାଇ ନେଲା ହୋର୍ଡିଂ

ପୁରୀ/ଭୁବନେଶ୍ୱର: ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଘଣ୍ଟାପ୍ରତି ପବନର ବେଗ ୧୭୫ କିଲୋମିଟରରେ ବୋହିଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ଫଳରେ ଶତାଧିକ ଗଛ ଉପୁଡି ପଡ଼ିଛି। ବିଶେଷ କରି ସମୁଦ୍ର କୂଳଠାରୁ ଅଳ୍ପ ଦୂରରେ ଥିବା ରାଜଭବନ ରାସ୍ତାକଡ଼ରେ ଥିବା କିଛି ଗଛ ଉପୁଡି ପଡ଼ିଛି। ସେହିଭଳି ଅନେକ ସ୍ଥାନରେ ଦୋକାନ ଛପର ଓ ହୋର୍ଡି ଉଡାଇ ନେଇଛି।

ଗୁରୁବାର ଠାରୁ ଶୁକ୍ରବାର ସକାଳ ୭ଟା ସୁଦ୍ଧା ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ଆଗାମୀ ୪ ରୁ ୫ ଘଣ୍ଟା ଯାଏଁ ସକ୍ରିୟ ରହିପାରେ।

ସାମୁଦ୍ରିକ ଝଡ଼ ‘ଫନି’ ଶୁକ୍ରବାର ସକାଳୁ ଉଗ୍ର ରୂପ ଧାରଣ କରିଛି। ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଛି। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। ଏମନେ ହେଉଛନ୍ତି ସମସ୍ତେ ମତ୍ସଜୀବୀ। ପ୍ରଶାସନ ପକ୍ଷରୁ ଗୁରୁବାର ସେମାନଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲେ ବି, ଏହା ବିଫଳ ହୋଇଛି। ଏବେବି ବହୁ ସଂଖ୍ୟରେ ଲୋକ ସ୍ଥାନାନ୍ତର ହୋଇପାରି ନାହାନ୍ତି।

ଏସ୍‌ଆରସି ସେଠୀ କହିଛନ୍ତି, ଏଯାଏଁ ୧୦ ଲକ୍ଷ ୮୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଛି। ପବନର ବେଗ ବଢ଼ିଥିଲେ ବି କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି। ମାତ୍ର କିଛି ସ୍ଥାନରେ ରାସ୍ତାରେ ଗଡ଼ ପଡ଼ିଛି।

ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଗତି କରିବ ଏବଂ ଏହା ଭଦ୍ରକ, ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପୁରୀ ଓ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ବିଦ୍ୟୁତ କାଟି ଦିଆଯାଇଛି।

ସମ୍ବନ୍ଧିତ ଖବର