ଆସୁଛନ୍ତି ମହାବାହୁ

ଆଉ ମାତ୍ର ୩ ଦିନ ପରେ ଜଗତର ନାଥ କାଳିଆ ସାଆନ୍ତଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ପୁରୁଷୋତ୍ତମ କ୍ଷେତ୍ର। ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ପରମକାରୁଣିକ ମହାବାହୁଙ୍କ ଏହି ମାନବୀୟ ଲୀଳା ପାଇଁ। ଆଜି ଶ୍ରୀନଅରକୁ ‘ରାଜପ୍ରସାଦ ବିଜେ’ ନୀତି ଶେଷ ହୋଇଛି। ଏହା ସହିତ ମହାପ୍ରଭୁ ସୁସ୍ଥ ହୋଇଥିବା ନେଇ ଦଇତାପତିମାନେ ଗଜପତି ମହାରାଜାଙ୍କୁ ସୂଚନା ଦେଇଛନ୍ତି। ଆସନ୍ତା ୨ ତାରିଖରେ ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ବେଦୀରେ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। ୪ ତାରିଖ‌ରେ ଧାଡି ପହଣ୍ଡିରେ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା (ଜନ୍ମ ବେଦୀ)କୁ ଯାତ୍ରା କରିବେ ଏବଂ ‌ସେଠାରେ ଆଡପ ମଣ୍ଡପରେ ୯ ଦିନ ବ୍ୟାପୀ ଭକ୍ତଙ୍କୁ ଦର୍ଶନ ‌ଦେବେ। ପରେ ବାହୁଡା ଯାତ୍ରା, ସୁନାବେଶରେ ଦର୍ଶନ ଦେଇ ମହାପ୍ରଭୁ ନୀଳାଦ୍ରି ବିଜେ କରି ରତ୍ନ ବେଦୀରେ ଅଧିଷ୍ଠିତ ହେବେ। ଏବେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଆତୁର ନୟନରେ ଅପେକ୍ଷାରତ।

ନନ୍ଦିଘୋଷ

ଶ୍ରୀଜଗନ୍ନାଥଙ୍କ ରଥ ନାମ-ନନ୍ଦିଘୋଷ ରଥ । ଉଚ୍ଚତା-୩୩ ହାତ ପାଞ୍ଚ ଅଙ୍ଗୁଳି- ୪୫ ଫୁଟ ୬ ଇଞ୍ଚ । ଚକ ସଂଖ୍ୟା-୧୬ । ଚକର ବ୍ୟାସ-୭ ଫୁଟ। ବ୍ୟବହୃତ କାଠ ସଂଖ୍ୟା-୮୩୨ ଖଣ୍ଡ। ରଥ ଧ୍ବଜର ନାମ- ଗରୁଡ। ଚକ୍ରଧ୍ବଜ ଅଶ୍ବ ସଂଖ୍ୟା-୪ ବର୍ଣ୍ଣ । ଶୁକ୍ଳ ଅଶ୍ବଙ୍କ ନାମ- ଶଙ୍ଖ, ବଳାହକ, ଶ୍ବେତ-ହରିତାଶ୍ବ। ରଥ ଦେବତା-ନୃସିଂହ । ରଥ ନେତ-ପତିତପାବନ ବା ତୈଲୋକ୍ୟ ମୋହିନୀ। ରଥ ଦଉଡି ନାମ- ଶଙ୍ଖଚୁଡ ନାଗୁଣୀ । ରଥ ଦଉଡି ସଂଖ୍ୟା-୪ । ରଥ ସାରଥୀ-ଦାରୁକ। ଲମ୍ବ-୨୨୦ ଫୁଟ। ରଥ ଆୟୁଧ- ଶଙ୍ଖ-ଚକ୍ର। ରଥ ରକ୍ଷକ- ଇନ୍ଦ୍ର, ଇନ୍ଦ୍ରାଣୀ। ରଥ ଦେବୀ-ଯୋଗମାୟା । ରଥକଳସ—ନଭ,ଆକାଶ,ବ୍ୟୋମ । ରଥ ଦ୍ବାରପାଳ- ଜୟ-ବିଜୟ । ରଥକୁମ୍ଭ-ହିରଣ୍ମୟ। ରଥ ଅପସରା-ଉର୍ବଶୀ।

ରଥର ବିଭାଗୀକରଣ, ମୂଳରୁ ଚୂଳ ୩୪ ଭାଗ

ପୁରୀ : ରଥ ସଂହିତା ଆଧାରରେ ପ୍ରତିବର୍ଷ ତିନି ରଥର ନିର୍ମାଣ କରାଯାଉଛି। ପାରମ୍ପରିକ ରଥ ନିର୍ମାଣ ପଦ୍ଧତି ଅନୁସାରେ ତିନି ରଥର ନିମ୍ନଭାଗରୁ ଶୀର୍ଷ ପର୍ଯ୍ୟନ୍ତ ମୁଖ୍ୟତଃ ୩୪ ଗୋଟି ‌ଭାଗରେ ବିଭକ୍ତ କରାଯାଇଛି। ମୁଖ୍ୟ ଭାବେ ଯେଉଁ ୩୪ଟି ବିଭାଗୀକରଣ ହୋଇଛି ତାହା ହେଉଛି:- ୧) ଚକ, ୨) ଦଣ୍ଡିଆ, ୩) ଅର, ୪) ବାଙ୍କି, ୫) ହଂସପଟା, ୬) କଣି, ୭) ଶଙ୍ଖଦ୍ବାର, ୮) ଜାଲି, ୯) ଗାଈପଟା, ୧୦) ସିଂହାସନ, ୧୧) କନକ ମୁଣ୍ଡି, ୧୨) ଭୂମି, ୧୩) ଷୋଳ ନାହାକା, ୧୪) ମକର ଦଣ୍ଡା, ୧୫) ବସନ୍ତ, ୧୬) ଦୁଆର ଯୋଡ଼ା, ୧୭) ସାରଥୀ ପୀଢ଼, ୧୮) କୁମ୍ଭପଟି, ୧୯) ରାହୁପଟି, ୨୦) ଆଠ ନାହାକା, ୨୧) ବାଙ୍କି, ୨୨) ପୀଢ଼, ୨୩) ଋଷିପଟା, ୨୪) ଦଣ୍ଡା, ୨୫) ପାରାଭାଡ଼ି, ୨୬) ଖପୁରୀ, ୨୭) ପାଦ, ୨୮) ଓଲଟ ଶୁଆ, ୨୯) ଦଧିନଉତି, ୩୦) କଳସ, ୩୧) କଣ୍ଠି, ୩୨) ଦଣ୍ଡ, ୩୩) ଚକ୍ର, ୩୪) କପିକେତନ ବାନା। ବର୍ତ୍ତମାନର ପାରମ୍ପରିକ ରଥନିର୍ମାତା ବିଶ୍ବକର୍ମା ବଂଶଧରମାନେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ୩୪ ଭାଗରେ ବିଭକ୍ତ କରିଥିଲେ ହେଁ ଶାସ୍ତ୍ର ଦୃଷ୍ଟିରେ ଏହା ୨୭ ଭାଗ ବିଶିଷ୍ଟ ଅଟେ ବୋଲି କୁହାଯାଇଛି। ଶାସ୍ତ୍ରାନୁସାରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶରୀରରେ ୨୭ଟି ନକ୍ଷତ୍ର ଅବସ୍ଥାନ କରନ୍ତି ଓ ଏହି ନକ୍ଷତ୍ରମାନଙ୍କ ସହ ନବଗ୍ରହ ମଧ୍ୟ ଅବସ୍ଥାନ କରନ୍ତି। ତେଣୁ ପରମପୁରୁଷଙ୍କ ରଥକୁ ମଧ୍ୟ ୨୭ ନକ୍ଷତ୍ର ଅନୁସାରେ ୨୭ ଭାଗରେ ବିଭକ୍ତ କରାଯାଇଛି। ବର୍ତ୍ତମାନର ରଥରେ ରହିଥିବା ଚକ, ଦଣ୍ଡିଆ ଓ ଅରକୁ ଚକ୍ରପୀଠ, ହଂସପଟା, କଣି, ଶଙ୍ଖଦ୍ବାର, ଜାଲି, ଗାଈପଟାକୁ ନେଇ ବରାଣ୍ଡି, ଶିଖର ଦେଶରେ ଥିବା ଦଧିନଉତି, କଳସ, କଣ୍ଠି, କଣ୍ଡ, ଚକ୍ର ଓ କପିକେତନକୁ ମିଶାଇ ରଥଧ୍ବଜା ଭାବେ ଗ୍ରହଣ କରାଯାଏ।

ବାମ୍ଫରେ ସିଝେ ପୋଡ଼ ପିଠା

ମାନବୀୟ ଲୀଳାର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ବିଚିତ୍ର। ମହାପ୍ରଭୁ ପୋଡ ପିଠା ଖାଇବାକୁ ଭଲ ପାଆନ୍ତି। ସେଥିପାଇଁ ମାଉସୀ ମ‌ା’ ମନ୍ଦିରରେ ଏହି ପୋଡ଼ ପିଠା ଲାଗି ହୁଏ। ଏହି ପୋଡ ପିଠାକୁ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ। ଏହି ପୋଡ ପିଠା ଛେନା, ଗହମ ଅଟା, ଭଲ ଘିଅ, ଚିନି, ବାଦାମ, ଖିସିମିସ, ଅଳେଇଚ, ଲବଙ୍ଗ ଆଦି ଦ୍ରବ୍ୟରେ ପ୍ରସ୍ତୁତ ହୋଇଥାଏ। ଏହି ପିଠା ପାଇଁ ଇଟାରେ ତିଆରି ଚୁଲିରେ ଏକ ପାଣିହାଣ୍ଡି ବସାଯାଇ ଗରମ କରାଯାଏ। ‌ ଏ ସମସ୍ତ ଦ୍ରବ୍ୟକୁ ଏକତ୍ର କରି ଏକ ମାଟିତାଡରେ ରଖି ତା ଉପରେ ଢାଙ୍କୁଣୀ ଢଙ୍କାଯାଇଥାଏ। ମହାପ୍ରଭୁ ଜଗନ୍ନ‌ାଥ ଯେହେତୁ ପୋଡା ଦ୍ରବ୍ୟ ଖାଆନ୍ତି ନାହିଁ ସେଥିଲାଗି ତାଡରେ ପୂର୍ବରୁ ଥିବା ପାଣିର ବାଷ୍ପ‌ରେ ଏହି ପିଠା ସଂପୂର୍ଣ୍ଣ ସିଝିଥାଏ। ବାମ୍ଫରେ ସିଝି ସାରିଲା ପରେ ଏହାକୁ ଥଣ୍ଡା କରାଯାଇ ଖଣ୍ଡ ଖଣ୍ଡ କରି କଟାଯାଇ ଶୁଦ୍ଧ ଘିଅରେ ଛଣା ଯାଏ। ପରେ ଏହାକୁ ମାଟି ହାଣ୍ଡିରେ ରଖାଯାଇ ତିନି ରଥ ନିକଟକୁ ଭୋଗ ପାଇଁ ଅଣାଯାଇଥାଏ। ବାହୁଡା ଦିନ ତିନି ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବା ପରେ ପୂଜାପଣ୍ଡା ସାମନ୍ତ ଆସି ମା’ଙ୍କ ପାଖରେ ଭୋଗ କରିବା ପରେ ରଥାରୂଢ ଠାକୁରଙ୍କୁ ଏହାକୁ ସମର୍ପଣ କରିଥାନ୍ତି। ଏହାକୁ ସର୍ପମଣୋହୀ ଭୋଗ ବୋଲି ମଧ୍ୟ କୁହାଯାଏ। ଏହା ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ସଜ ରହିଥାଏ।

ସମ୍ବନ୍ଧିତ ଖବର