ପୁରୀରେ ସେଲ୍‌ଟର ହୋମ୍‌ରେ ଚଢ଼ଉ

ପୁରୀ/ଢେଙ୍କାନାଳ/ଭୁବନେଶ୍ୱର: ଢେଙ୍କାନାଳରେ ସେଲ୍‌ଟର ହୋମ୍‌ରେ ଚଢ଼ଉ ହେବା ପରେ ଶନିବାର ପୁରୀରେ ମଧ୍ୟ ସେଲ୍‌ଟର ହୋମ୍‌ରେ ଚଢ଼ଉ ହୋଇଛି। ସୂଚନା ଅନୁସାରେ ପେଣ୍ଠକଟାସ୍ଥିତ ଗୁଡ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ବେଆଇନ୍‌ ଭାବରେ ପରିଚାଳିତ ସେଲଟର ହୋମ୍‌ରେ ଡିସିପିଓ ଓ ସିଡବ୍ଲୁସି ଚଢ଼ଉ କରିଛନ୍ତି। ଜିଲ୍ଲାପାଳଙ୍କ ଅନୁମତି ବିନା ବେଆଇନ୍‌ ଭାବରେ ପରିଚାଳିତ ସେଲ୍‌ଟର ହୋମ୍‌ରେ ୮୧ ଜଣ ଝିଅ ରହୁଥିବା ନେଇ ଅଭିଯୋଗ ହେବା ପରେ ଏକ ଚାରିଜଣିଆ ଟିମ୍‌ ଅଚାନକ ଚଢ଼ଉ କରିଛନ୍ତି। ଟିମ୍‌ କାଗଜପତ୍ର ଯାଞ୍ଚ କରିଛନ୍ତି।

ଢେଙ୍କାନାଳର ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ସେଲଟର ହୋମ ଅନୁଷ୍ଠାନର ମୁଖ୍ୟ ଝିଅମାନଙ୍କୁ ଜବରଦସ୍ତ ଚୁମ୍ବନ ଓ ଅାଲିଙ୍ଗନ କରୁଥିଲେ ବୋଲି ଅଭିଯୋଗ ପରେ ସରକାର ଏହା ଉପରେ ଲଗାମ ଲଗାଇଛନ୍ତି । ଏଥିସହ ସରକାର ରାଜ୍ୟର ସମସ୍ତ ବେଆଇନ୍‌ ସେଲଟର ହୋମକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ବେଆଇନ ଭାବେ ଏହି ସେଲଟର ହୋମ୍‌ ଚାଲିଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ।

ଅନ୍ତେବାସୀଙ୍କ ଡାଡି ଭାବେ ପରିଚିତ ଥିଲେ ସେଲଟର ହୋମ୍‌ ମୁଖ୍ୟ ଫୟାଜ ରହେମାନ । ହେଲେ ତାହାରି ଆଢ଼ୁଆଳରେ ଚାଲିଥିଲା ଭୟଙ୍କର ବ୍ୟଭିଚାର । ଢେଙ୍କାନାଳ ସେଲଟର ହୋମ୍‌ ବାବଦରେ ଏପରି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି, ଯାହା ଆପଣଙ୍କୁ ବ୍ୟଥିତ କରିଦେବ ।ଏଥିସହ ସେଲଟର ହୋମକୁ ଆସୁଥିବା ବିଦେଶୀ ଅତିଥିମାନେ ମଧ୍ୟ  ଝିଅମାନଙ୍କୁ ଯୌନ ଶୋଷଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି  ଅନ୍ତେବାସୀ ।

କିଭଳି କିଶୋରୀ ଓ ଯୁବତୀମାନଙ୍କୁ ଅସଦାଚରଣ କରାଯାଉଥିଲା  ତାର ଗୁମର ଖୋଲିଛନ୍ତି ଅନ୍ତେବାସୀ । ଅଭିଯୋଗର ଛାନଭିନ ପାଇଁ ଢେଙ୍କାନାଳ ଉପଜିଲ୍ଲାପାଳ ଓ ଶିଶୁ ସୁରକ୍ଷା ଅଧିକାରୀ ସେଲଟର ହୋମରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଟାଉନ ଥାନା ମହିଳା ପୁଲିସ ମଧ୍ୟ ସେଲଟର ହୋମରେ ପହଚିଁ ଅନ୍ତେବାସୀଙ୍କ ବୟାନ ରେକର୍ଡ କରିଛି ।

ସେପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେଲଟର ହୋମର ଶାଖା ପରିଚାଳକ ସୀମାଂଚଳ ନାୟକଙ୍କୁ ଗିରଫ କରାଯାଇଛି । ସେଲଟର ହୋମର ଚେୟାରମ୍ୟାନ ଫୟାଜ୍‌ ରହେମାନଙ୍କୁ ମଧ୍ୟ ଉଠାଇ ନେଇଛି ପୁଲିସ।

ସମ୍ବନ୍ଧିତ ଖବର