ପୁରୀ : ରଥ ସଂହିତା ଅନୁସାରେ ଭଉଁରୀ ତିଥିରେ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନର ଛଅ ଚକ ଡେରା ଯିବାର ବିଧି ରହିଛି। ଏଥି ପାଇଁ ରଥଖଳାରେ ୬ ଚକ ସହ ୩ ଅଖର ପ୍ରସ୍ତୁତି ସରିଛି। ଆସନ୍ତାକାଲି ଭଉଁରୀ ତିଥିରେ ୩ ଅଖରେ ଦୁଇଟି ଲେଖା ଚକ ଯୋଡ଼ା ଯାଇ ଡେରା ହେବାର ପରମ୍ପରା ରହିଥିବା ବେଳେ ମହାରଣା ସେବକମାନେ ଚକଅଖ ପ୍ରସ୍ତୁତ କରିଛନ୍ତି। ପବିତ୍ର ଭଉଁରୀ ତିଥିରେ ଡେରାଯିବାକୁ ଥିବା ନାହାକା ଚକଅଖ ପ୍ରସ୍ତୁତ ସରିଛି। ଏଥିରେ ଆସନ୍ତାକାଲି ଯୋକିଆ ଲାଗି ଅନୁକୂଳ ହେବ। କମାର ସେବକମାନେ ରଥଖଳା ଆସି ଏହାକୁ ଲାଗି କରାଇବେ। ଭୋଇ ସେବକମାନେ ଏହି ନାହାକା ଚକଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ନେଇ ରଖିବେ। ଅନୁକୂଳ ହେବା ପରେ ଏଥିରେ ଯୋକିଆ (ପନ୍ଦାରୀ ଚାବି) ଲାଗି କରାଯିବ। ଚକକୁ ମଜବୁତ କରିବା ପାଇଁ ଇଂରାଜୀ ଅକ୍ଷର ‘ୟୁ’ ଆକୃତିର ଏକ ଲୁହାକୁ ଯୋକିଆ କୁହାଯାଏ। ଏହା ଅଖ ପାଇଁ ତୁମ୍ବରେ ଲାଗିଥିବା ପନ୍ଦାରୀକୁ ଧରି ରଖିବା ପାଇଁ ଲଗାଯିବ। ଆସନ୍ତାକାଲି ପାଣିଆ ପାଣି ପକାଇବା ପରେ ଚକ ଓ ଅଖ ଡେରା ଅନୁକୂଳ ହେବ। ମହାପ୍ରଭୁଙ୍କର ଆଜ୍ଞାମାଳ ଆସିବା ପରେ ଏହି ନାହାକା ଚକ-ଅଖକୁ ପ୍ରାପ୍ତ ହେବ। ଏହା ପରେ ଉକ୍ତ ପର୍ବ ଶେଷ ହେବ। ପୂର୍ବାହ୍ଣ ୧୦ରୁ ୧୧ଟା ଭିତରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ନୀତି ନିର୍ଘଣ୍ଟ ହୋଇଛି। ଏହା ଛଡ଼ା ରଥଖଳାରେ ଅନ୍ୟାନ୍ୟ କାମ ବି ଜାରି ରହିଛି। ଆସନ୍ତାକାଲି ପନ୍ଦାରୀ ଚାବି ଲଗା ଅନୁକୂଳ କାର୍ଯ୍ୟକ୍ରମ ରହିଥିବାରୁ କମାର ସେବକମାନେ ଏ ନେଇ ପ୍ରସ୍ତୁତି ଚଳାଇଛନ୍ତି।