ପୁରୀ : ପବିତ୍ର ଭଉଁରୀ ଯାତ୍ରା ତିଥିରେ ତିନି ଠାକୁରଙ୍କ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ୬ଟି ଚକକୁ ଆଜି ରଥଖଳାରେ ଡେରାଯାଇଛି। ପରମ୍ପରା ଅନୁଯାୟୀ, ୩ ଅଖକୁ ୬ଟି (ପ୍ରତି ରଥର ଦୁଇଟି ଲେଖା ଚକ) ଚକରେ ଯୋଡ଼ାଯିବା ପରେ ଏଥିରେ ଠାକୁରଙ୍କ ଆଜ୍ଞାମାଳ ବିଜେ କରାଯାଇଛି।
ପରମ୍ପରା ଅନୁଯାୟୀ, ସୋମବାର ପୂର୍ବାହ୍ନ ୧୧ଟା୫ରେ ଛତି, ତରାସ, କାହାଳୀ, ଘଣ୍ଟଘଣ୍ଟା ସହ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀବଳଭଦ୍ରଙ୍କ ବାଡ଼ରୁ ସାମନ୍ତ ଗଣେଶ ପୂଜାପଣ୍ଡା, ଜଗନ୍ନାଥଙ୍କ ବାଡ଼ର ସାମନ୍ତ ରାମନାଥ ପୂଜାପଣ୍ଡା ଓ ସୁଭଦ୍ରାଙ୍କ ବାଡ଼ର ସାମନ୍ତ ରଘୁନାଥ ପୂଜାପଣ୍ଡା ପ୍ରମୁଖ ରତ୍ନ ସିଂହାସନରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ବିଜେ କରାଇଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାରେ ପହଞ୍ଚିିବା ପୂର୍ବରୁ ଭୋଇ ସେବକମାନେ ତିନି ରଥର ୬ଟି ଚକକୁ ତେଲ ବୋଳି ଅଖ ସହ ଯୋଡି ଠିଆ କରି ସାରିଥିଲେ। ଡେରା ଅନୁକୂୂଳ ଅର୍ଥାତ୍ ଆଜ୍ଞାମାଳ ପ୍ରଦାନ ପୂର୍ବରୁ ପଇତା କଟାଯାଇଥିବା ଛଅଟି ନାହାକା ଚକକୁ ପାଣିଆମାନେ ପାଣି ପକାଇ ସ୍ନାନ କରାଇଥିଲେ। ଏଥିପାଇଁ ବଡ଼ଆଖଡ଼ା ମଠ କୂଅରୁ ପାଣିଆମାନେ ପବିତ୍ର ଜଳ ଆଣିଥିଲେ।
ପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ଚକଡେରା ଅନୁକୂଳ ନୀତି ସଂପନ୍ନ ହୋଇଥିଲା। ଅନୁକୂଳ ନୀତି ସଂପନ୍ନ ହେବା ପରେ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଆଜ୍ଞାମାଳକୁ ତିନି ମୁଖ୍ୟ ବିଶ୍ୱକର୍ମା ଚର୍ଚ୍ଚିକା ଠାକୁରାଣୀଙ୍କୁ ସମର୍ପଣ କରିଥିଲେ। ଚକଡେରା ଅନୁକୂଳ ପରେ ଆଜିର କାମ ଅପରାହ୍ଣରେ ବନ୍ଦ ରହିଥିଲା। ଆସନ୍ତାକାଲିଠାରୁ ପୁନର୍ବାର ରଥ ନିର୍ମାଣ କାମ ଆରମ୍ଭ ହେବା ସହ ବାକି ଚକ ନିର୍ମାଣ ପରେ ପର୍ଯ୍ୟାୟ କ୍ରମେ ଡେରାଯିବ। ଏଥିସହ ଆଜି ଯୋକିଆ (ପନ୍ଦାରୀ ଚାବି) ଅନୁକୂଳ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/ratha-chaka-dera-1.jpg)