ରଥ ଖଳା ହାଲଚାଲ : ଆରମ୍ଭ ହେଲା ବିନ୍ଧ କାମ

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୮ ଦିନ ପୂରିଛି। ଅଷ୍ଟମ ଦିନରେ ସୂତା ବାଡ଼ିଆ ସରିଥିବା ତୁମ୍ବରେ ବିନ୍ଧ କାମ ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ବଳଭଦ୍ରଙ୍କ ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଏବଂ ମା ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ନିଜ ନିଜ ରଥର ତୁମ୍ବ ଉପରେ ନଡ଼ିଆ ବାଡ଼େଇ ବିନ୍ଧ କାମ ଆରମ୍ଭ କରିଛନ୍ତି। ଆଉ ଦୁଇ ଦିନ ପରେ ନୃସିଂହ ଚତୁର୍ଥୀ ପଡ଼ୁଥିବାରୁ ଅର ଓ ପଇ ଖଞ୍ଜା ପରେ ଗୁଜ ଅନୁକୂଳ ଓ ଶିଙ୍ଗଡ଼ା ବାଡ଼ିଆ କାମ ଆରମ୍ଭ ହେବ।  ଆଜି ରଥଖଳାରେ ସର୍ବାଧିକ ବିଶ୍ୱକର୍ମା କାମରେ ଲାଗିଥିବା ଦେଖିବାକୁ ମିଳିଛି। ପ୍ରଥମେ ବିଶ୍ୱକର୍ମା ସୂତାମାପ ଅନୁସାରେ ତୁମ୍ବକୁ ସାଇଜ୍‌ କରି କାଟିବା ପରେ ଏଥିରେ ବିନ୍ଧ କରିଛନ୍ତି। ସେହିପରି କଟା ସରିଥିବା ତୁମ୍ବରେ ବି ଅନେକ ବିଶ୍ୱକର୍ମା ସୂତା ବାଡ଼ିଆ କାମ କରୁଥିବା ଦେଖିବାକୁ ମିଳିଛି।

ବିସ୍ଫୋରଣ ଭୟ: ରଥ ଖଳା ଛାଡ଼ି ଦୌଡ଼ିଲେ

ପୁରୀ : ଆଜି ମଧ୍ୟାହ୍ନରେ ରଥଖଳାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ବିସ୍ଫୋରଣ ଭୟରେ ବିଶ୍ୱକର୍ମା ଓ ଅନ୍ୟ ସେବକମାନେ ରଥଖଳା ଛାଡ଼ି ଦୌଡ଼ି ପଳାଇଥିଲେ। ଘଟଣାଟି ଥିଲା ଏମିତି। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟ୍‌ ସମୟରେ ହଠାତ୍‌ ଏକ ବଡ଼ ଶଦ୍ଦ ଶୁଣିବାକୁ ମିଳିଥିଲା। ସୁସୁ ହୋଇ କିଛି ଗର୍ଜନ ବି ଶୁଣିବାକୁ ମିଳିଥିଲା। ଏହା ଶୁଣି ରଥଖଳାରେ କାର୍ଯ୍ୟରତ ବିଶ୍ୱକର୍ମାମାନେ ଏଣେ ତେଣେ ଧାଁଧପଡ଼ କରିଥିଲେ। ଖୋଜାଖୋଜି କଲା ପରେ ଏହା ଅଗ୍ନି ନିରୋଧ ଯନ୍ତ୍ରର ଶଦ୍ଦ ବୋଲି ଜଣାପଡ଼ିଥିଲା। ରଥଖଳାରେ କିଛି ଅଘଟଣକୁ ଅଟକାଇବା ପାଇଁ ଅଗ୍ନି ନିରୋଧକ ଯନ୍ତ୍ର ଲଗାଯାଇଥିଲା। କିନ୍ତୁ ଆଜି ମଧ୍ୟାହ୍ନରେ ହଠାତ୍‌ ଏହା ଆପେ ଆପେ ଚାଲୁ ହୋଇ ଯାଇଥିଲା। ଯାହାଫଳରେ ଏଥିରୁ ପ୍ରବଳ ଗ୍ୟାସ୍‌ ଓ ଫେଣ ବାହାରୁଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ଚାରିଆଡ଼ ଧୂଆଁମୟ ବି ହୋଇ ଯାଇଥିଲା। ଏ ସଂପର୍କରେ ଜାଣିନପାରି ବିଶ୍ୱକର୍ମାମାନେ ଏଣେତେଣେ ଦୌଡ଼ିଥିଲେ। ଘଟଣା ଜଣାପଡ଼ିବା ପରେ କିଛି ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବନ୍ଦ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର