ରଥ ଖଳା ହାଲଚାଲ : ପଇ ବିନ୍ଧ ଅନୁକୂଳ

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୧୬ ଦିନ ପୂରିଛି। ୧୬ ଦିନରେ ରଥଖଳାରେ ଦୁଇ ପ୍ରମୁଖ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍‌ଣରେ ପଇ ଓ ପଇ ବିନ୍ଧ ଅନୁକୂଳ କାର୍ଯ୍ୟ ସଂପନ୍ନ ହୋଇଛି। ପ୍ରତ୍ୟେକ ଚକରେ ତୁମ୍ବ ସହିତ ଅର ଯୋଡ଼ାଯିବା ପରେ ପଇ ଲଗାଯିବ। ପ୍ରତ୍ୟେକ ଚକରେ ଗୋଲେଇ ଆକାର ଆଣିବାକୁ ମୋଟ ୮ଟି ପଇ ରହିବ। ଆଜି ପଇଗୁଡ଼ିକୁ ଅର ଉପରେ ପକାଯାଇ ଦାଗ ଦିଆଯାଇଛି। ଦାଗ ଅନୁସାରେ କଟାଯାଇ ପଇ କାଠରେ ଚାରିଟି ଲେଖା ବିନ୍ଧ ଖୋଳାଯାଉଛି। ଏହି ଭଳି ପ୍ରତି ଚକରେ ଲାଗିବାକୁ ଥିବା ୮ଟି ପଇରେ ମୋଟ ୩୨ଟି ବିନ୍ଧ ଖୋଳାଯିବ। ଏହି ବିନ୍ଧ ଖୋଳା କାମ ଆଜି ରଥଖଳାରେ ଅନୁକୂଳ ହୋଇଛି। ମୁଖ୍ୟ ବିଶ୍ୱକର୍ମାମାନେ ନଡ଼ିଆ ଓ ମାହାର୍ଦ୍ଦ ରଖି ମା ଚର୍ଚ୍ଚିକାଙ୍କୁ ପୂଜା କରି ବିନ୍ଧ କରିବା କାମ ଆରମ୍ଭ କରିଛନ୍ତି। ସେପଟେ ଆଜି ତିନି ରଥର ୬ଟି ଚକ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଥିବା ଭୋଇ ସର୍ଦ୍ଦାର ରବି ଭୋଇ ସୂଚନା ଦେଇଛନ୍ତି। ଆସନ୍ତାକାଲି ସ୍ୱତନ୍ତ୍ର ମେସିନ୍‌ରେ ଅଖବିନ୍ଧ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର