ପୁରୀ: ସାମୁଦ୍ରିକ ଝଡ଼ ଫନି ପୁରୀର ଚିତ୍ର ବଦଳାଇ ଦେଇଛି। ଧନୀଠାରୁ ଗରିବ ସମସ୍ତଙ୍କୁ ପ୍ରଭାବିତ କରିଛି। ବାତ୍ୟା ପରେ ସବୁଠୁ ବଡ଼ ସମସ୍ୟା ଏବେ ହୋଇଛି ପାଣି। ଆଜିଯାଏ ଲୋକଙ୍କୁ ପାଣି ଯୋଗାଇବାରେ ପ୍ରଶାସନ ସକ୍ଷମ ହୋଇନାହିଁ। ଜିଲ୍ଲାପାଳ ବଦଳିଗଲେ, ତଥାପି ସୁଧୁରିଲାନି ପାଣି ସମସ୍ୟା। ଜନସ୍ବାସ୍ଥ୍ୟ ବିଭାଗ ଯେଉଁ ପାଣି ଦେଉଛି ତାକୁ ମଟର ଲଗାଇ ବଡ଼ ବଡ଼ିଆ ଟାଣି ନଉଛନ୍ତି, ଗରିବଙ୍କୁ ମିଳୁନି ପାଣି।
ବାତ୍ୟା ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାନୀୟ ଜଳ ବ୍ୟବସ୍ଥା। ବିଜୁଳି ନଥିବାରୁ ପମ୍ପରେ ପାଣି ଉଠୁନି। ହୋଟେଲ ଶିଳ୍ପଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଷ୍ଠାନ ଓ ସରକାରୀ ଅଫିସ୍ ଜନସ୍ବାସ୍ଥ୍ୟ ବିଭାଗ ପାଣି ଉପରେ ନିର୍ଭର କରୁଛନ୍ତି। ବିଜୁଳି ନଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ଆବଶ୍ୟକ ପାଣି ଉତ୍ତୋଳନ କରିପାରୁନାହିଁ। ଏବେ ସକାଳେ ଦୁଇ ଘଣ୍ଟା ଓ ସଂଧ୍ୟାରେ ଦୁଇ ଘଣ୍ଟା ପାଣି ଦିଆଯାଉଛି। ସେହି ସମୟରେ ପାଣି ପାଇଁ ଲୋକେ ଲାଇନ୍ ଲଗାଇ ରହୁଛନ୍ତି। ତେବେ ଏହି ପାଣିକୁ ହୋଟେଲ ମାଲିକ ଓ ବଡ଼ ବଡ଼ିଆମାନେ ମଟର ଲଗାଇ ଟାଣି ନେଉଛନ୍ତି। ଫଳରେ ତଳ ମୁଣ୍ଡକୁ ପାଣି ଯାଉନାହିଁ। ବଡ଼ବଡ଼ିଆମାନେ ପାଣି ନେଇସାରିବା ପରେ ଯାହା ବଳୁଛି ତାହା ସାଧାରଣ ଲୋକଙ୍କୁ ପାଉନାହିଁ। ତେଣୁ ସହରରେ ପାଣି ପାଇଁ ହାହାକାର ଲାଗି ରହିଛି। ଏହା ବାଦ୍ ଜନସ୍ବାସ୍ଥ୍ୟ ବିଭାଗ ଯେଉଁ ପାଣି ଦେଉଛି ତାହା ପିଇବା ଯୋଗ୍ୟ ନୁହେଁ ବୋଲି ଅନେକ କହୁଛନ୍ତି। ସେମାନଙ୍କ ଅଭିଯୋଗ ଟ୍ୟାପ୍ରେ ଗୋଳିଆ ପାଣି ଆସୁଛି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ଆମେ ଏକ ସ୍କ୍ବାଡ୍ ଗଠନ କରିବୁ। ଯିଏ ପାଣି ଯୋଗାଣ ଉପରେ ନଜର ରଖିବ। କୌଣସିଠାରେ ମଟର ଲଗାଇ ପାଣି ଟଣାଯାଉଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।
ବଡ଼ବଡ଼ିଆ ଟାଣି ନେଉଛନ୍ତି ପାଣି
ସ୍କ୍ବାଡ୍ ଗଠନ କରାଯିବ: ନିର୍ବାହୀ ଯନ୍ତ୍ରୀ
/sambad/media/post_attachments/wp-content/uploads/2019/05/drinking-water.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)