ଶାନ୍ତନୁ ଆତ୍ମହତ୍ୟା ଘଟଣା : ହ୍ଵାଟସ୍‌ଆପ୍‌ ଓ ଫେସ୍‌ବୁକ୍‌ ରିପୋର୍ଟକୁ ଅପେକ୍ଷା

ପୁରୀ : ସଦର ଥାନା ଅନ୍ତର୍ଗତ ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ପାତ୍ରଙ୍କ ବହୁଚର୍ଚିତ ଆତ୍ମହତ୍ୟା ଘଟଣା ନେଇ ପୁଲିସର ତନାଘନା ଜାରି ରହିଛି। ମୃତ ଶାନ୍ତନୁଙ୍କ ପତ୍ନୀ ଅନୀତା ଓ ତାଙ୍କ ପ୍ରେମିକ ଅମରେଶ ସ୍ୱାଇଁଙ୍କୁ ସଦର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଏଥିସହ ଆଜି ଦୁଇଟି ପର୍ଯ୍ୟାୟରେ ଶାନ୍ତନୁ ଓ ଅନୀତାଙ୍କ ବାପା-ମାଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଛି। ମୁଖ୍ୟତଃ ଶାନ୍ତନୁ ଓ ଅନୀତାଙ୍କ ମଧ୍ୟରେ ବିବାଦ ଏବଂ ଏଥିରେ ଅମରେଶଙ୍କ ଭୂମିକା ଉପରେ ଗୁଡ଼େଇତୁଡ଼େଇ ପ୍ରଶ୍ନ କରାଯାଇଛି। ଅନ୍ୟପକ୍ଷରେ ଅନୀତା ଓ ପ୍ରେମିକ ଅମରେଶଙ୍କ ମଧ୍ୟରେ ଦିଆନିଆ ହୋଇଥିବା ମେସେଜ୍‌, ଭଏସ୍‌ କଲ୍‌ ତଥା ଭିଡିଓ କଲ୍‌ ଆଦିର ବିବରଣୀ ପୁଲିସ ହ୍ଵାଟ୍‍ସଆପ୍‍ ଓ ଫେସ୍‍ବୁକ୍‍କୁ ମାଗିଛି। ସେହିଭଳି ଅମରେଶ ଓ ମୃତ ଶାନ୍ତନୁଙ୍କ ମଧ୍ୟରେ ହୋଇଥିବା ଯୋଗାଯୋଗ ସଂପର୍କରେ ମଧ୍ୟ ଉଭୟଙ୍କ ସଂସ୍ଥାକୁ ବିବରଣୀ ମଗାଯାଇଛି। କେଉଁ ଏକାଉଣ୍ଟରୁ ଏହି ସବୁ ଯୋଗାଯୋଗ ହୋଇଛି ତାର ମଧ୍ୟ ଟିକିନିଖି ଯାଂଚ କରାଯାଉଛି। ଆଜି ରବିବାର ଯୋଗୁଁ ହ୍ଵାଟ୍‍ସଆପ୍‍ ଓ ଫେସ୍‍ବୁକ୍‍ର ରିପୋର୍ଟ ଆସି ପାରିନାହିଁ। ଏହି ରିପୋର୍ଟ ମିଳିିବା ପରେ ତଦନ୍ତ ଏକ ନିର୍ଣ୍ଣାୟକ ମୋଡ଼ରେ ପହଂଚିବ ବୋଲି ତଦନ୍ତ ଅଧିକାରୀ ଆଶା କରୁଛନ୍ତି।

ଅନ୍ୟପଟେ ଥାନାରେ ଅଟକ ପ୍ରେମୀଯୁଗଳଙ୍କୁ ପୁଲିସ ଘନଘନ ଜେରା କରୁଛି। ଏସପିଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସଦର ଏସଡିପିଓ, ସଦର ଥାନା ଆଇଆଇସି ପ୍ରମୁଖ ଏହି ଦୁଇ ଜଣଙ୍କୁ ଗତ କାଲିଠାରୁ ଦଫା ଦଫାରେ ଜେରା କରିଚାଲିଛନ୍ତି। କେତେବେଳେ ପୃଥକ୍‌ ପୃଥକ୍‌ ଭାବେ ତ କେତେବେଳେ ଏକାଠି ମୁହାଁମୁହିଁ କରି ଉଭୟଙ୍କୁ ପଚରାଉଚରା କରାଯାଉଛି। ବିବାହ ପୂର୍ବରୁ ଅନୀତାଙ୍କର ଅମରେଶଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ବିବାହ ପରେ କୌଣସି ପ୍ରେମ ସମ୍ପର୍କ ନଥିବା ସେମାନେ କହୁଥିଲେ ମଧ୍ୟ ପୁଲିସ ଏହାକୁ ସହଜରେ ଗ୍ରହଣ କରୁନାହିଁ। ଯଦି ସମ୍ପର୍କ ନାହିଁ ତେବେ ଅନୀତା ଓ ଅମରେଶ ମଧ୍ୟରେ ଥିବା ଅନ୍ତରଙ୍ଗ ଫଟୋ କିପରି ଶାନ୍ତନୁ ପାଖକୁ ଆସିଲା ବୋଲି ପୁଲିସ ପ୍ରଶ୍ନ ପଚାରିବାରେ ଅମରେଶ ଚୁପ୍‍ ରହୁଛି। ଅମରେଶ କହୁଛି ଯେ ଶାନ୍ତନୁ ତା ନାମରେ ଏକ ନକଲି ଏକାଉଣ୍ଟ ଖୋଲି ଫେସ୍‌ବୁକ୍‍ରେ ଚାଟିଂ କରୁଥିଲା।

ସୂଚନାଯୋଗ୍ୟ ଯେ ପତ୍ନୀଙ୍କ ଅନୈତିକ ପ୍ରେମ ସମ୍ପର୍କକୁ ନେଇ ଶାନ୍ତନୁ ବେଶ୍‌ ଚିନ୍ତିତ ଥିଲେ। ବେଙ୍ଗାଲୁରରୁୁ ଫେରି ଘରକୁ ଯାଇଥିଲେ। କିନ୍ତୁ ଘରେ ବି କେହି ନଥିଲେ। ପାରିବାରିକ କଳହକୁ ନେଇ ବାପା-ମା ଅଲଗା ରହୁଥିଲେ। ଏ ପରିସ୍ଥିତିରେ ନିଜକୁ ଅସହାୟ ମନେ କରି ଗତ ୮ ତାରିଖ ବିଳମ୍ବିତ ରାତିରେ ଫେସ୍‍ବୁକ ଜରିଆରେ ନିଜ ଦାଂପତ୍ୟ ଜୀବନର ଯନ୍ତ୍ରଣା ବଖାଣିଥିଲେ। ଏହାପରେ ଗାଁ ମୁଣ୍ଡ ପୋଖରୀ ନିକଟରେ ଥିବା ବରଗଛରେ ଲୁଗାବାନ୍ଧି ଝୁଲିପଡ଼ିଥିଲେ। ବରଗଛରେ ତାଙ୍କ ଶବ ଝୁଲୁଥିବା ବେଳେ ଫେସ୍‍ବୁକରେ ଘୂରି ବୁଲୁଥିଲା ତାଙ୍କ ଆତ୍ମହତ୍ୟାର କାରଣ ସମ୍ବଳିତ ଭିଡିଓ।

ସମ୍ବନ୍ଧିତ ଖବର