ସ୍କର୍ପିଓ ଓଲଟି ୪ ଗୁରୁତର

ପୁରୀ:  ଭୁବନେଶ୍ବରରୁ ପୁରୀକୁ ଆସୁଥିବା ଏକ ସ୍କର୍ପିଓ ଓଲଟି ପଡ଼ିଥିବା ବେଳେ ଏଥିରେ ୪ ଜଣ କଲେଜ ଛାତ୍ରୀ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟ୍ରାଫିକ୍ ଥାନା ପୁଲିସ ଏହି ଗାଡ଼ିକୁ ଜବତ କରିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ  ଭୁବନେଶ୍ବରର ଆଇଏଚଏମ୍ କଲେଜର କେତେକ ଛାତ୍ରୀ ଏକ ସ୍କର୍ପିଓରେ ପୁରୀକୁ ଆସିଥିଲେ। ସେମାନେ ମଧ୍ୟାହ୍ନରେ ଗ୍ରୀଡ଼ ଷ୍ଟେସନ ଦେଇ ତାଳବଣିଆ ଥାନା ପଟେ ଆଗକୁ ଯାଉଥିବା ବେଳେ ବୁଲାଣି ସ୍ଥାନରେ ଭାରସାମ୍ୟ ହରାଇ ବାମପଟକୁ ଓଲଟି ପଡ଼ିଥିଲା। ଫଳରେ ଏହି ଗାଡ଼ିରେ ଥିବା ୧୦ ଜଣଙ୍କ ମଧ୍ୟରୁ ପ୍ରାୟ ଚାରି ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଆହତମାନଙ୍କ ମଧ୍ୟରେ ଖଡ଼ଗପୁର ଭବାନୀପୁର ମେନ୍ ରୋଡ୍‌ର ପୁଷ୍ପିତା ବାନାର୍ଜୀ(୨୧) ଓ ରାମ ମନ୍ଦିର ପାଖ ଆଇଏଚ୍ଏମ୍ ହଷ୍ଟେଲରେ ରହୁଥିବା ସୃତି ବାନାର୍ଜୀଙ୍କ ସମେତ ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଖବର ପାଇ ତାଳବଣିଆ ଥାନା ପୁଲିସ ଗାଡ଼ିଟିକୁ ଜବତ କରି ଟ୍ରାଫିକ୍ ଥାନାକୁ ଖବର ଦେଇଥିଲେ। ତେବେ ଏନେଇ କୌଣସି ଅଭିଯୋଗ ହୋଇନଥିବାରୁ ଟ୍ରାଫିକ ଥାନା ମାମଲା ରୁଜୁ କରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର