ଫେସ୍‌ବୁକ୍‌ରେ ଭିଡିଓ ଛାଡ଼ି ଆତ୍ମହତ୍ୟା ଘଟଣା : ପତ୍ନୀ ଓ ପ୍ରେମିକ ଜେଲ୍‌ ଗଲେ

ପୁରୀ : ଫେସ୍‌ବୁକ୍‌ରେ ଭାଇରାଲ ଭିଡିଓ ସହ ଶାନ୍ତନୁ ଆତ୍ମହତ୍ୟା ଘଟଣାର ବିଭିନ୍ନ ପ୍ରମାଣକୁ ଭିତ୍ତି କରି ପୁଲିସ ଆଜି ଜଗତସିଂହପୁର ପାଣିସୁଆଇଆ ନିବାସୀ ଅମରେଶ ସ୍ୱାଇଁ(୨୯) ଏବଂ ସତ୍ୟବାଦୀ ଥାନା ଅନ୍ତର୍ଗତ କାଞ୍ଜିଆରେ ରହୁଥିବା ଗଡ଼ଭିଙ୍ଗୁରା ନିବାସୀ ଶାନ୍ତନୁଙ୍କ ପତ୍ନୀ ଅନୀତା ପ୍ରଧାନ(୩୨)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଏଥିସହ ପୁରୀ ପୁଲିସ ଦୀର୍ଘ ଦଶ ଦିନ ପରେ ବହୁଚର୍ଚ୍ଚିତ ଶାନ୍ତନୁ ଆତ୍ମହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି। ପତ୍ନୀ ଅନୀତା ପରପୁରୁଷ ସହିତ ରଖିଥିବା ଅନୈତିକ ପ୍ରେମ ସମ୍ପର୍କ ଥିବା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ ଶାନ୍ତନୁ। ଗତ ୮ ତାରିଖ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିଲେ। ତେବେ ଶାନ୍ତନୁଙ୍କ ନିଜ ଫେସବୁକ୍‍ ଆଇଡିରେ ନିଜ ଆତ୍ମହତ୍ୟାର କାରଣ ବଖାଣିବାର ଭିଡିଓ ଯୋଗୁ ଏହି ଘଟଣାର ଗୁରୁତ୍ଵ ବଢ଼ିଯାଇଥିଲା। ୯ ତାରିଖ ଦିନ ଗଡ଼ଭିଙ୍ଗୁରା ଗାଁ ମୁଣ୍ଡ ଓସ୍ତ ଗଛରେ ଶାନ୍ତନୁଙ୍କର ଝୁଲନ୍ତା ଶବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ତାଙ୍କ ଫେସ୍‍ବୁକ୍‍ ଆକାଉଣ୍ଟରେ ଭିଡିଓ ଭାଇରାଲ ହେବାରେ ଲାଗିଥିଲା।

ଶାନ୍ତନୁଙ୍କ ସାର୍ଟ ପକେଟରୁ ମିଳିଥିବା ଚାରି ଫର୍ଦର ସୁଇସାଇଡାଲ୍‌ ନୋଟ୍‌ରେ ଲିଖିତ ତଥ୍ୟ ଓ ଅନୀତା ଓ ଅମରେଶ ମଧ୍ୟରେ ବିଭିନ୍ନ ସମୟରେ ହୋଇଥିବା ଫୋନ୍‌ କଲ୍‌ ତଥ୍ୟକୁ ଯାଞ୍ଚ କରିବା ପରେ ଅନୀତା ଓ ଅମରେଶଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା ପୁଲିସ ପ୍ରକାଶ କରିଛି।

ପୁଲିସ ତଦନ୍ତରୁ ଜଣାପଡ଼ିଛି, ଛଅ ବର୍ଷ ପୂର୍ବେ ଅନୀତା କଟକ ମଙ୍ଗଳାବାଗ ଥାନା ଇଲାକାରେ ଥିବା ଶ୍ରୀମା ନର୍ସିଂ ହୋମ୍‍ରେ ନର୍ସ ଭାବେ କାମ କରୁଥିଲେ। ଏହି ନର୍ସିଂ ହୋମ୍‍ ପାଖରେ ଥିବା ଏକ ଔଷଧ ଦୋକାନରେ ଟୁବା ଓରଫ ଅମରେଶ କାମ କରୁଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୩୨ ବର୍ଷିୟା ଅନୀତା ପ୍ରେମ କରୁଥିଲେ ୨୯ ବର୍ଷିୟ ଟୁବାକୁ। ଏହି ପ୍ରେମ ସମ୍ପର୍କ କେବଳ ପ୍ରେମରେ ନଥିଲା ଏହା ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ୨୮ ବର୍ଷିୟ ଶାନ୍ତନୁଙ୍କୁ ବିବାହ କରିବା ପୂର୍ବରୁ ଅନୀତା ସହିତ ଟୁବାର ଶାରୀରିକ ସମ୍ପର୍କ ରହିଥିବା ସେ ପୁଲିସ ସମ୍ମୁଖରେ ସ୍ୱୀକାର କରିଛି। ମାତ୍ର ବାଙ୍ଗାଲୋରରେ ଶାନ୍ତନୁ ସିକ୍ୟୁରିଟି ଗାର୍ଡ ଥିବା ଜାଣିବା ପରେ ଅନୀତା ତା’ର ଛଅ ବର୍ଷର ପ୍ରେମକୁ ଗୁରୁତ୍ଵ ଦେଇଥିଲା। ବାଙ୍ଗାଲୋରରୁ ଫେରିବା ପରେ ଅନୀତା ରୋହିଣୀ ନର୍ସିଂହୋମ୍‍ରେ ନିଯୁକ୍ତି ପାଇଥିବା ବେଳେ ହଷ୍ଟେଲରେ ରହୁଥିଲେ। ଏହି ସମୟରେ ଉଭୟ ଅନୀତା ଓ ଟୁବା ପରସ୍ପର ମଧ୍ୟରେ ଫୋନରେ ରାତି ତମାମ କଥାବାର୍ତ୍ତା ହେଉଥିଲେ। ସେମାନଙ୍କର ଫୋନ ଟ୍ରାକିଂ କରିବାରେ ଏହି ପ୍ରମାଣ ପୁଲିସକୁ ମିଳିଛି।

ସମ୍ବନ୍ଧିତ ଖବର