ଡକାୟତି ବେଳେ ମହିଳାଙ୍କୁ ହତ୍ୟା

ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌, ଡେଲାଙ୍ଗରେ ଚାଞ୍ଚଲ୍ୟ

ଡେଲାଙ୍ଗ : ଇଂରାଜୀ ନୂଆ ବର୍ଷ ପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସବମୁଖର ହୋଇ ପଡ଼ିଥିଲା ବେଳେ ଶନିବାର ବିଳମ୍ବିତ ରାତ୍ରିରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ଗ୍ରାମରେ ସଂଘଟିତ ଏକ ଡକାୟତି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଡକାୟତମାନେ ଗୃହକର୍ତ୍ତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିବା ପରେ ଆଲମାରି, ଟ୍ରଙ୍କ ଭାଂଗି ସୁନାଗହଣା ଓ ନଗଦ ଟଙ୍କା ସମେତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ ଚନ୍ଦ୍ରକୋଟ ଗ୍ରାମର ଦିଲୀପ ଦାସଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ପୁଷ୍ପଲତା ଦାସ (୪୮) ଓ ପୁଅ ଲକ୍ଷ୍ମୀଧର ଦାସ (୨୮) ରହୁଥିଲେ। ଲକ୍ଷ୍ମୀଧର ଅବିବାହିତ ଓ ସାତଶଙ୍ଖ ବଜାରରେ ତାଙ୍କର ଏକ ମୋବାଇଲ୍‌ ଦୋକାନ ରହିଛିି। ଗତକାଲି ଅପରାହ୍ନରେ ଲକ୍ଷ୍ମୀଧର ଦୋକାନ ବନ୍ଦ କରି କୌଣସି କାମରେ ଗାଁ ସରପଞ୍ଚ ଅଜୟ ବେହେରାଙ୍କ ସହ ଭୁବନେଶ୍ୱର ବାହାରି ଯାଇଥିଲେ। ସେଠାରୁ କାମ ସାରି ରାତି ପ୍ରାୟ ସାଢେ ୧୨ଟାରେ ଘରେ ପହଂଚି ମା’ ପୁଷ୍ପଲତାଙ୍କୁ ଡାକିଥିଲେ । ହେଲେ ପୁଷ୍ପଲତା କବାଟ ଖୋଲି ନଥିଲେ । ଲକ୍ଷ୍ମୀଧର ତାଙ୍କ କାକାଙ୍କୁ ଡାକି ବାରିପଟ ଛାତବାଟେ ଘରକୁ ଯିବାରୁ ଭିତରେ ଆଲମିରା, ଟ୍ରଙ୍କ ସବୁ ଛିନଛତ୍ର ହୋଇ ପଡ଼ିଥିବାବେଳେ ଖଟ ଉପରେ ସୁନା ଗହଣାର ଖୋଳଗୁଡ଼ିକ ଫିଙ୍ଗାଫୋପଡ଼ା ହୋଇ ପଡ଼ିଥିଲା । ମା’ଙ୍କୁ ନପାଇ ଖୋଜାଖୋଜି କରିବାରେ ଗାଧୁଆ ଘରୁ ଉଲଗ୍ନ ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ପୁଷ୍ପଲତାଙ୍କ ଗୋଡ଼, ପାଟି, ନାକ ଆଦି ସେଲୋଟେପ୍‍ରେ ବନ୍ଦ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସାକ୍ଷୀଗୋପାଳ ହସପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଡେଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ସାଇଣ୍ଟିଫିକ୍‌ ଦଳ ସହ ଘଟଣାର ତଦନ୍ତ ଚଳାଇଛି । ଡକାୟତମାନେ ଘରେ ଥିବା ନଗଦ ୭୦ ହଜାର ଟଙ୍କା ସମେତ ସୁନା ହାର, ଚୂଡ଼ି, ମୁଦି, ଚେନ୍‌ ଆଦି ଲୁଟି ନେଇଥିବା ଜଣାପଡ଼ିଛି। ତେବେ ଘରର କବାଟ ଭିତରପଟୁ ବନ୍ଦ ଥିବାରୁ ଡକାୟତମାନେ କିଭଳି ପଶିଲେ ଓ ବାହାରିଲେ ତାକୁ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି। ପୁଲିସ ପ୍ରାଥମିକ ତଦନ୍ତ କାଳରେ ପାଇଥିବା ସୂଚନା ଅନୁସାରେ ଘର ଭିତରକୁ ପ୍ରବେଶ ଲାଗି ଏକମାତ୍ର କବାଟ ରହିଛି। ଏହାଭିନ୍ନ ଛାତ ଦେଇ କେବଳ ପ୍ରବେଶର ସୁଯୋଗ ରହିଛି। ତେବେ ଛାତ ଉପରକୁ ଯିବାକୁ ହେଲେ ଲକ୍ଷ୍ମୀଧରଙ୍କ କାକାଙ୍କ ଘର ଦେଇ ଯିବାକୁ ପଡ଼ିବ। ଅନ୍ୟପକ୍ଷରେ ପୁଷ୍ପଲତାଙ୍କୁ ବାନ୍ଧିବା ଘଟଣା ଜଣେ ଲୋକ ଦ୍ୱାରା ସମ୍ଭବ ନୁହେଁ। ଏଣୁ ଲୁଟରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ସଂଦେହ କରାଯାଉଛି। ଏ ପରିସ୍ଥିତିରେ ଏକାଧିକ ଲୋକ କିଭଳି ଛାତ ଉପର ଦେଇ ଭିତରକୁ ଯାଇ ଏହି କାଣ୍ଡ ଘଟାଇଲେ ତାକୁ ନେଇ ତଦନ୍ତ ଅଧିକାରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର