ବାସି ଓ ଖାଇବା ଅନୁପଯୋଗୀ ଖାଦ୍ୟକୁ ନେଇ ତେଜୁଛି ଅସନ୍ତୋଷ

ଉପବାସରେ ଦିନ କାଟିଲେ ଅନ୍ତେବାସୀ

ବାରିପଦା: ମୟୂରଭଞ୍ଜକୁ ଆଜି ସୁଦ୍ଧା ପ୍ରାୟ ୧୦ହଜାରରୁ ଊର୍ଧ୍ବ ପ୍ରବାସୀ ଫେରିଲେଣି। ଜିଲ୍ଲାର ପ୍ରାୟ ୮୩୫ଟି ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର(ଟିଏମ୍ସି)ରେ ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ମାତ୍ର କିଛି କିଛି ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅସୁବିଧା ହେଉଥିବା ଅଭିଯୋଗ ଆସିବାରେ ଲାଗିଛି। ଗତ ଦୁଇ ଦିନ ତଳେ ରାସଗୋବିନ୍ଦପୁର ବ୍ଲକରେ ଏକ ସଙ୍ଗରୋଧ କେନ୍ଦ୍ରରେ ବାସି ଖାଦ୍ୟ ପ୍ରଦାନ କରାଯିବାକୁ ନେଇ ଅନ୍ତେବାସୀମାନେ ଅଭିଯୋଗ କରିଥିଲେ।

ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଥିଲା। ଆଜି ସେହିପରି ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ତକତପୁରଠାରେ ଥିବା ଏକ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ସେମାନଙ୍କୁ ସକାଳେ ଜଳଖିଆ ଖାଦ୍ୟ ଅନୁପଯୋଗୀ ଥିଲା। ସେହିପରି ମଧ୍ୟାହ୍ନରେ ମଧ୍ୟ ସୂଚୀ ଅନୁସାରେ ଖାଦ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଥିଲା। ତେବେ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ ସେମାନଙ୍କୁ ଖାଇବ ଯଦି ଖାଅ ନହେଲେ ନାହିଁବୋଲି କହିଥିଲେ। ଏବଂ ପ୍ରାୟ ୩୭ଜଣଙ୍କର ଖାଦ୍ୟକୁ ଭିତରେ ରଖି ତାଲା ମାରି ଚାଲିଯାଇଥିଲେ। ଫଳରେ ଅନ୍ତେବାସୀମାନେ ଉପବାସରେ ଦିନ କାଟିଥିବା ଜଣାପଡ଼ିଛି।

ଏନେଇ ସଙ୍ଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ପୌରାଞ୍ଚଳ ନୋଡାଲ୍ ଅଧିକାରୀ ପ୍ରଶାନ୍ତ କୁମାର ରାୟଙ୍କୁ ଯୋଗାଯୋଗ କରାଯିବାରୁ ଏସମ୍ପର୍କରେ ତଦନ୍ତ କରିବେ ବୋଲି କହିଥିଲେ। ମାତ୍ର ଏପରି ଅଭିଯୋଗ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ଆସିବାରେ ଲାଗିଛି। ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସ୍ଥାନୀୟ ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟର ଅଭାବ କାରଣରୁ ଏପରି ଘଟୁଥିବା ଅଭିଯୋଗ ହୋଇଛି। ଦିନକୁ ଦିନ ଜିଲ୍ଲାକୁ ପ୍ରବାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ସୁରତ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଆଦି ରାଜ୍ୟରୁ ହଜାର ହଜାର ଶ୍ରମିକ ମୟୂରଭଞ୍ଜକୁ ଫେରି ସଙ୍ଗରୋଧରେ ରହୁଛନ୍ତି।

ସେହିପରି ରାସଗୋବିନ୍ଦପୁର ଏବଂ ବେତନଟୀ ବ୍ଲକରେ ଦୁଇଟି ସଙ୍ଗରୋଧ କେନ୍ଦ୍ରରେ ଚିକିତ୍ସା ସୁବିଧା ଯୋଗାଇନଦେବାରୁ ଦୁଇ ଜଣ ପ୍ରସୂତୀ କିପରି ହଇରାଣ ହୋଇଛନ୍ତି ତାହା ପୂର୍ବରୁ ପଦାକୁ ଆସିଛି। ବର୍ତ୍ତମାନ ଅନ୍ତେବାସୀମାନେ ଖାଦ୍ୟ ଆଦିକୁ ନେଇ ଅଭିଯୋଗ ଉଠାଇଛନ୍ତି। ଏହାକୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି। ଜିଲ୍ଲାର ସଦରମହକୁମା ବାରିପଦା ଠାରୁ ଆରମ୍ଭ କରି ଶୁଳିଆପଦା, ଶ୍ୟାମାଖୁଣ୍ଟା, ରାସଗୋବିନ୍ଦପୁର, ମୋରଡା, ବେତନଟୀ ଆଦି ବ୍ଲକ୍ ଗୁଡ଼ିକରେ ଏପରି ଅଭିଯୋଗ ଆସିବାରେ ଲାଗିଛି। ନିକଟରେ ଏହିପରି ସଙ୍ଗରୋଧ କେନ୍ଦ୍ରରେ ଥିବା ଅଧିକାରୀଙ୍କ ଅସାବଧାନତା କାରଣରୁ ଜଣେ ଅନ୍ତେବାସୀ କ୍ବାରାଣ୍ଟାଇନ୍ କେନ୍ଦ୍ର ପରିସରରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ନଜିର ରହିଛି।

ଏହି କାରଣରୁ ଦୁଇ ଜଣ ଜନପ୍ରତିନିଧିଙ୍କୁ ବେତନଟୀ ବ୍ଲକ୍ ଅଂଳା ପଞ୍ଚାୟତରେ ବାନ୍ଧି ପକାଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। କେଉଠି ରହିବାକୁ ଉପଯୁକ୍ତ ଶଯ୍ୟା ନାହିଁ ତ’ କେଉଁଠି ପିଇବା ପାଣି ଓ ବାସିଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆସିବାରେ ଲାଗିଛି। ସରକାରୀ ଖାଦ୍ୟ ତାଲିକା ଅନୁଯାୟୀ ଖାଦ୍ୟ ପ୍ରଦାନ ନିୟମ ଥିଲେ ମଧ୍ୟ ଏହାକୁ ଉଲଂଘନ କରାଯାଉଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । ଏପରିକି କିଛି ସ୍ଥାନରେ ଶୌଚାଳୟ ଗୁଡିକ ଭଙ୍ଗାରୁଜା ଓ ଅପରିଷ୍କାର ଅବସ୍ଥାରେ ରହିଥିବା ବେଳେ ସେଠାରୁ ପିଇବା ପାଣି ଆଣିବାକୁ ବାଧ୍ୟ କରାଯିବାର ଅଭିଯୋଗ ଆସୁଛି । ଏନେଇ ପୂର୍ବତନ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତିଯେ ସରକାର ପଞ୍ଚାୟତ ଠାରୁ ସହର ପର୍ଯ୍ୟନ୍ତ କରୋନା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ବାଟମାରଣା ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି। ଅନ୍ତେବାସୀଙ୍କୁ ଉତ୍ତମ ସୁବିଧା ଦେବା ପରିବର୍ତ୍ତେ ଅଧିକାରୀମାନେ ହେଳା କରୁଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର