ସମ୍ବଲପୁର ବିଶ୍ୱବିଦ୍ୟାଳୟ: ସେମିଷ୍ଟାର ପରୀକ୍ଷା ପୂର୍ବରୁ ଲିକ୍‌ ହେଲା ଯୁକ୍ତ ୩ ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ପ୍ରଶ୍ନପତ୍ର

୬ଟି ସ୍କ୍ଵାର୍ଡ ଗଠନ, ବିଭିନ୍ନ କଲେଜ ଚଢ଼ାଉ

ସମ୍ବଲପୁର: ଜ୍ୟୋତି ବିହାର (ସମ୍ବଲପୁର ବିଶ୍ୱବିଦ୍ୟାଳୟ) + ୩ ଦ୍ଵିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ପ୍ରଶ୍ନପତ୍ର ଲିକ ହୋଇଥିବା ଜଣାଯାଇଛି। ଏଥି ସଂକ୍ରାନ୍ତରେ ୬ଟି ସ୍କ୍ଵାର୍ଡ ଗଠନ ହୋଇ ବିଭିନ୍ନ କଲେଜରେ ଚଢ଼ାଉ କରାଯାଇ ତଦନ୍ତ କରାଯାଇ ରିପୋର୍ଟ ଦାଖଲ ହୋଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟନାରାୟଣ ନାଏକ କହିଛନ୍ତି, ଆସନ୍ତାକାଲି ଏ ବାବଦରେ ଏତଲା ଦିଆଯିବ। ପ୍ରଶ୍ନପତ୍ରର ବିକଳ୍ପ ସେଟ ଥିବାରୁ କୌଣସି ପରୀକ୍ଷା ବାତିଲ କରାଯାଇ ନାହିଁ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ୨୪୦ଟି କଲେଜର ପରୀକ୍ଷା ପରିଚାଳନା କରିଥାଏ। ଏଥିରୁ ୧୦୦ଟି କଲେଜରେ ବିଜ୍ଞାନ ପାଠ୍ୟକ୍ରମ ରହିଛି। ଏହି କଲେଜଗୁଡ଼ିକର + ୩ ଦ୍ଵିତୀୟ ବର୍ଷ ପ୍ରଥମ ସେମିଷ୍ଟାରର ଅନର୍ସ ପରୀକ୍ଷା ଗୁରୁବାର ହେବାକୁ ଥିଲା। ଗତ ରାତିରେ ରସାୟନ ବିଜ୍ଞାନର ୬ ନମ୍ବର ପ୍ରଶ୍ନ ପତ୍ର ଲିକ ହୋଇଥିବା ଜଣାପଡ଼ିଥିଲା। ଏହା ପରେ କର୍ତ୍ତୃପକ୍ଷ ତରଫରୁ ତୁରନ୍ତ ଏକ ଗୁପ୍ତ ବୈଠକ ଡକାଯାଇ ଏଥି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ପରୀକ୍ଷା ନିୟନ୍ତ୍ରକଙ୍କ ନେତୃତ୍ୱରେ ୬ଟି ସ୍କ୍ଵାର୍ଡ ଗଠନ କରାଯାଇ ଥିଲା। ପ୍ରତ୍ୟେକ ସ୍କ୍ଵାର୍ଡରେ ବିଶ୍ୱବିଦ୍ୟାଳୟ କର୍ମଚାରୀ, ବରିଷ୍ଠ ଅଧ୍ୟାପକ ସମେତ ୨ରୁ୩ ଜଣ ସଦସ୍ୟ ରହିଥିଲେ।

ଗୁରୁବାର ଦିନ ତମାମ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ସ୍କ୍ଵାର୍ଡଗୁଡ଼ିକ ଭବାନୀପାଟଣା, ପଦମପୁର, ବରଗଡ଼, ସମ୍ବଲପୁର, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ କଲେଜର ଚଢ଼ାଉ କରିଥିଲେ।

ସମ୍ବନ୍ଧିତ ଖବର