କମ୍ବଳ ଘୋଡାଇ ହୋଇ ଶୋଇଥିବା ସମୟରେ ରେଳ କର୍ମଚାରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ରାଉରକେଲା: ରାଉରକେଲା ବାଙ୍ଗୁରକେଲା ନିକଟ ଦକ୍ଷିଣ କେବିନରେ ଜଣେ ରେଳ କର୍ମଚାରୀଙ୍କ ମୃତଦେହ ମିଳିଛି। ମୃତକଙ୍କ ପରିଚୟ ବିଚା ଓରାମ ଓ ବୟସ ୪୩ବର୍ଷ ବୋଲି ଜଣାପଡ଼ିଛି। ବିଚା କମ୍ବଳ ଘୋଡାଇ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ, ବିଚା ପ୍ରତିଦିନ ସେଠାରେ ଥିବା ରେଳ ଫାଟକ ଖୋଲି ଥାଆନ୍ତି। ଗୁରୁବାର ସକାଳେ ବିଚା ଆଉ କବାଟ ଖୋଲିବାକୁ ଆସି ନଥିଲେ। ସେଠାରେ ଉପସ୍ଥିତ ସ୍କୁଲବସ୍‌ ଚାଳକ ବିଚାଙ୍କୁ ଡାକିବାକୁ ଯାଇଥିଲେ। ହେଲେ ସେ କମ୍ବଳ ଘୋଡାଇ ଶୋଇଥିବା ଦେଖିବାକୁ ପାଇଥିଲେ। ବିଚାଙ୍କୁ ଯେତେ ଡାକିଲେ ସୁଦ୍ଧା ସେ ଉଠି ନଥିଲେ। ପରେ ଘଟଣା ସମ୍ପର୍କରେ ପୁଲିସ ଓ ଡାକ୍ତରଙ୍କୁ ଖବର ଦିଆଯାଇଥିଲା। ଡାକ୍ତର ବିଚାଙ୍କୁ ଦେଖି ମୃତ ଘୋଷଣା କରିଥିଲେ।

ବିଶ୍ରା ଥାନ ଅଞ୍ଚଳରେ ଏହି ଘଟଣାର ଖବର ପାଇବା ପରେ ଆରପିଏଫ ପୁଲିସ ପହଞ୍ଚି ଥିଲେ। ଏହାସହ ବିଚାଙ୍କ ପରିବାରଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ସେ ଭେଜାଡିହ ଗାଁର ବାଙ୍ଗୁରକେଲାରେ ରେଳ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର