ଅମାନୁଷିକତା: ଆମ୍ବୁଲାନ୍ସ ଭିତରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ, ତିନି ଅଟକ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀକୁ କଟକର ଏକ ଘରୋଇ ଡାକ୍ତରଖାନାକୁ ଭର୍ତ୍ତି କରିବାକୁ ଆଣିଥିବା ଯୁବତୀଙ୍କୁ ତିନିଜଣ ଯୁବକ ଆମ୍ବୁଲାନ୍ସ ଭିତରେ ଅସଦାଚରଣ କରିବାକୁ ଉଦ୍ୟମ କରିଥିବା ନେଇ ଶନିବାର ଅଭିଯୋଗ ହୋଇଛି।

ଜରପଡ଼ା ଥାନା କୁଶକିଳା ଗ୍ରାମରେ ରହୁଥିବା ୧୯ବର୍ଷର ପୀଡିତା ରାନୁ(ଛଦ୍ମନାମ)ଙ୍କ କହିବାନୁସାରେ, ‘ମୋର ନାନୀର ଦେହ ବହୁତ ଖରାପ ଥିଲା। ସେଥିପାଇଁ ଆମେ ତାଙ୍କୁ ଚନ୍ଦନପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚକିତ୍ସା ପାଇଁ ଭର୍ତ୍ତି କରାଇଥିଲୁ। ସେଠାରେ ତା’ର ଶରୀରାବସ୍ଥା ଶୋଚନୀୟ ହେବାରୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ କେତେଜଣ ସମ୍ପର୍କୀୟଙ୍କ ସହ ଆମେ ତାକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲୁ। ସମ୍ପର୍କୀୟମାନେ ଡାକ୍ତରଖାନାରେ ନାନୀ ପାଖରେ ରହିଥିବା ବେଳେ ମୁଁ ପୁଣି ସେହି ଆମ୍ବୁଲାନ୍ସରେ ଘରକୁ ଫେରୁଥିଲି। ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଅଟକାଇ ଥିଲେ। ମୋ ସହ ଫେରୁଥିବା ସେହି ଆମ୍ବୁଲାନ୍ସରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସହ ସମ୍ପୃକ୍ତ ଅମ୍ବୁଲାନ୍ସ ଚଳାକ ବାଟରେ ଗୋଟିଏ ଦୋକାନକୁ ମଦ ପିଇବାକୁ ଯାଇଥିଲେ। ତା’ପରେ ଆମ୍ବୁଲାନ୍ସ ଭିତରକୁ ଆସି କିଛି ବାଟ ଯାଇଥିଲେ। ଏହାପରେ ସେମାନେ ମୋ ସହ ଅସଦାଚଣ ଉଦ୍ୟମ କରି ଫୋନ୍‌ରେ ମୋତେ ବିକିଦେବା ପାଇଁ କଥାବାର୍ତ୍ତା ହୋଇଥିଲେ। ମୁଁ ଚିତ୍କାର କରିବାରୁ ସେମାନେ ଆମ୍ବୁଲାନ୍ସ କବାଟ ଖୋଲି ଦେଇଥିଲେ, ମୁଁ ଭୟରେ ଫୁଲପଡ଼ା ରାସ୍ତା ଉପରେ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲି।’

ସ୍ଥାନୀୟଲୋକେ ଯୁବତୀଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ପଛରୁ ଆସୁଥିବା ଆଉ ଗୋଟିଏ ଆମ୍ବୁଲାନ୍ସକୁ ସନ୍ଦେହ କରି ଅଟକାଇବା ସହ ଏହି ଘଟଣାରେ ଏହି ଆମ୍ବୁଲାନ୍ସରେ ଥିବା ଲୋକମାନେ ବି ସାମିଲ ଥିବା ସନ୍ଦେହ କରି ମାରଧର କରିବା ସହିତ ତିନିଜଣଙ୍କୁ ଅଟକ ରଖିଛନ୍ତି। ଏହି ଅଟକ ଯୁବକଙ୍କ ନାମ ହେମନ୍ତ ବିଶ୍ୱାଳ ଓ ଅର୍ନ୍ତଜ୍ୟାମୀ ବିଶ୍ୱାଳ। ଦୁହିଁଙ୍କ ଘର ଜଅଁରା ବୋଲି ଜଣାପଡ଼ିଛି। ଅନ୍ୟ ଜଣକଙ୍କ ନାମ ଦୀପକ । ସୂଚନାପାଇ ପ୍ରଥମ ଆମ୍ବୁଲାନ୍ସକୁ ଛେଳିପଡ଼ା ଠାରେ ସ୍ଥାନୀୟଲୋକେ ଅଟକାଇ ଗାଡ଼ିକୁ ଭଙ୍ଗାରୁଜୁା କରିଛନ୍ତି। ପୀଡିତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର