ପାନର ବି ଅଭାବୀ ବିକ୍ରି

କୁଜଙ୍ଗ: ଏକଦା ସାରାଦେଶରେ ପରିଚିତି ଲାଭ କରିଥିବା ଢିଙ୍କିଆ ଚାରୀଦେଶର କୁଜଙ୍ଗୀ ପାନ ଏବେ ସଙ୍କଟରେ । ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ଏବଂ ପ୍ରତିଷ୍ଠାର ପ୍ରାକ୍‌ ପ୍ରସ୍ତୁତି ପ୍ରଭାବରେ ଏହି ପାରମ୍ପରିକ ପାନ ଚାଷ ଏବେ ସମ୍ପୂର୍ଣ୍ଣଭାବେ ଶିଳ୍ପ କବଳିତ ହୋଇପଡ଼ଛି। ଫଳରେ ଚାଷୀମାନେ ଏବେ ଏହାର ବିକଳ୍ପ ସନ୍ଧାନ କଲେଣି । ପୂର୍ବରୁ ପୋସ୍କୋ ପ୍ରକଳ୍ପ ପାଇଁ ଏବଂ ବର୍ତ୍ତମାନର ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ପେଶି ହୋଇ ଯାଇଥିବା ଏହି ଅର୍ଥକାରୀ ଚାଷର ଚାଷୀମାନେ ଏବେ ତିଷ୍ଠି ରହିବା ପାଇଁ ଲଢେଇ କରିବାକୁ ବାଧ୍ୟ ହେଉଛନ୍ତି। ହଜାର ହଜାର ସଂଖ୍ୟାରେ ପାନ ବରଜ ଭଙ୍ଗାଯିବା ପରେ ବଞ୍ଚି ରହିଥିବା ଅଳ୍ପ କିଛି ପାନବରଜ ମାଲିକମାନେ ଆଗାମୀ ଦିନରେ ଏଥିରୁ ଅଧିକ ଭାବେ ଆର୍ଥିକ ଲାଭ ଉଠାଇବାର ଆଶା ରଖିଥିଲେ । ମାତ୍ର ଏବେ ସେମାନଙ୍କ ଆଶାକୁ ଧୂଳିସାତ କରିଦେଇଛି ବଜାରରେ ପାନର ଅଭାବୀ ବିକ୍ରି ।
ସୂଚନାଯୋଗ୍ୟ, ପୂର୍ବରୁ ଢିଙ୍କିଆ ଚାରୀଦେଶରେ ପାନଚାଷକୁ ଏକ ଅର୍ଥକାରୀ ଫସଲ ଭାବେ ବିଚାର କରାଯାଉଥିଲା। ଏହା ଉପରେ ନିର୍ଭର କରି ଅଞ୍ଚଳର ଲୋକମାନେ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିଲେ। ମାତ୍ର ପୋସ୍କୋ ପ୍ରକଳ୍ପ ପାଇଁ ୧୧ଶହରୁ ଅଧିକ ପାନବରଜ ଭଙ୍ଗାଗଲା । ପ୍ରକଳ୍ପଟି ଅସଫଳ ହୋଇଥିଲେ ବି ପାନ ବରଜ ଧ୍ୱଂସ ହୋଇଗଲା। ଫଳରେ ଏହି ଚାଷ ଉପରୁ ଅଞ୍ଚଳବାସୀଙ୍କର ଆସ୍ଥା ତୁଟିଗଲା ତଥା ଅବଶିଷ୍ଟ ପାନବରଜ ପ୍ରତି ସେମାନଙ୍କର ଆଉ ପୂର୍ବପରି ନିଷ୍ଠା ରହିଲା ନାହିଁ। ସେହିପରି ନିକଟସ୍ଥ ପାରାଦୀପ ରିଫାଇନାରୀରୁ ନିର୍ଗତ ଗ୍ୟାସ ଏବଂ ଏହି ବୃହତ୍ତ ପ୍ରକଳ୍ପର କୁପ୍ରଭାବ ପାନ ଶିଳ୍ପ ଉପରେ ପଡ଼ିଲା । ଫଳରେ ଏହି ଫସଲକୁ ପୂର୍ବଭଳି ଆଉ ଯତ୍ନ କରି ବଞ୍ଚାଇ ରଖିବାକୁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଗଲା ନାହିଁ। ତା’ଛଡ଼ା, ବଜାର ଦର ମଧ୍ୟ ଏହି ଫସଲ କମିବାର ଅନ୍ୟଏକ କାରଣ। ବର୍ତ୍ତମାନ ବଜାରରେ ପାନର ମୂଲ୍ୟ ହଜାରକୁ ମାତ୍ର ୬୦ରୁ ୭୦ ଟଙ୍କା ଯାହା ପୂର୍ବରୁ ୭ଶହରୁ ୮ ଶହ ଟଙ୍କା ରହିଥିଲା ।

ପାନର ବଜାର ମୂଲ୍ୟ ଅଚାନକ ଭାବେ ହ୍ରାସ ପାଇଥିବାରୁ ଏବେ ପାନଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ବରଜରେ ପାନ ଶ୍ରମିକ ଭାବେ କାର୍ଯ୍ୟକରି ନିଜର ପରିବାର ପ୍ରତିପୋଷଣ କରୁଥିବା ମୂଲିଆମାନେ ମଧ୍ୟ ଏବେ ସେମାନଙ୍କର କାମ ହରାଇଛନ୍ତି । ପାନ ଚାଷରେ ଏହି ଶ୍ରମିକମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପାନ ଗଛ ଲଗାଇବାଠାରୁ ପାଣି ଦେବା, ପାନ ତୋଳିବା, ଏହାର ପ୍ରକ୍ରିୟାକରଣ କରିବା ଆଦି କ୍ଷେତ୍ରରେ ସେମାନଙ୍କର ଭୂମିକା ରହିଥାଏ । ମାତ୍ର ଏବେ ପାନର ବଜାର ଦର ହ୍ରାସ ପାଇଥିବାରୁ ପାନଚାଷୀମାନେ ମୂଲିଆ ଲଗାଇ କାମ କରିବାକୁ ସାହସ କରି ପାରୁନାହାନ୍ତି।
ଏହି ପାନର ଚାହିଦା ରାଜ୍ୟ ଏବଂ ଜାତୀୟସ୍ତରରେ ବେଶ ଭଲ ଥିଲା। ଏଠାରୁ ପାନ ବମ୍ବେ, ଦିଲ୍ଲୀ, ସୁରଟ, ପୁନେ, ବାଙ୍ଗାଲୋର ଆଦି ସ୍ଥାନକୁ ରପ୍ତାନୀ କରାଯାଉଥିଲା। ଢିଙ୍କିଆ, ଗୋବିନ୍ଦପୁର, ପାଟଣା, ନୂଆଗାଁ, ଗଡ଼କୁଜଙ୍ଗ, କନାଗୁଳୀ, ନୂଆ ରତନପୁର, କୁଞ୍ଜକୋଠୀ, ବାଲିତୁଠ, ବାମଦେଇପୁର ଆଦି ଗ୍ରାମରେ ଶହଶହ ପାନଚାଷୀ ହଜାର ହଜାର ପାନବରଜ ଜରିଆରେ ଏହି ଚାଷ କରୁଥିଲେ। ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ ଢିଙ୍କଆ, ନୂଆଗାଁ, ଗଡ଼କୁଜଙ୍ଗ ପଞ୍ଚାୟତରୁ ୧୨ଶହରୁ ଅଧିକ ବରଜ ଭଙ୍ଗାଯାଇଛି। ଏପର୍ଯ୍ୟନ୍ତ ସେମାନଙ୍କୁ ଏହାର ପ୍ରାପ୍ୟ ପ୍ରଦାନ କରାଯାଇନାହିଁ ।

ଅନ୍ୟପକ୍ଷରେ ପାନବରଜ ଶ୍ରମିକମାନଙ୍କୁ ସରକାରୀ ନିଷ୍ପତ୍ତି ଅନୁଯାୟୀ ମାସିକ ଭତ୍ତା ମଧ୍ୟ ପ୍ରଦାନ କରାଯାଉନାହିଁ। ବଜାରରେ ପାନଦର ଦ୍ରୁତ ହ୍ରାସ ଘଟୁଥିବାବେଳେ ଏବେ ପାନବରଜ ଶ୍ରମିକ ମାନଙ୍କୁ ଦୁର୍ଦ୍ଦଶା ସବୁଠାରୁ ବଳିଯାଇଛି । ଫଳରେ ସେମାନେ ଏବେ ଦାଦନ ଖଟିବାକୁ ବାହାରକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି। ଏବେ ରାଜ୍ୟ ଏବଂ ଜାତୀୟସ୍ତରରେ ଗୁଟ୍‌ଖାର ବହୁଳ ବ୍ୟବହାର ହେଉଥିବାରୁ ପାନର ଚାହିଦା ହ୍ରାସ ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ନିଷେଧ କରାଯାଇଥିଲେ ମଧ୍ୟ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ। ଏପରି ସ୍ଥିତିରେ ସରକାର ପାନବରଜ ମାଲିକ ଏବଂ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର