ବୌଦ୍ଧରେ ଲଜ୍ଜା : ଲୋମଶ କନ୍ୟା ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ହରଭଙ୍ଗା: ଏକଦା ନିଜର ଅସାଧାରଣ ଚେହେରା ପାଇଁ କେବଳ ଆମ ରାଜ୍ୟ ନୁହେଁ ଦେଶ ବିଦେଶରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଜନୈକା ଲୋମଶ କନ୍ୟା ଦୁଷ୍କର୍ମର ଶିକାର ହେବା ଭଳି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଖବର ପ୍ରଘଟ ହେବାପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତାଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ଥାନାରେ ଏକ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତ ଅଭିମନ୍ୟୁ କହଁର (୫୦)କୁ ଗିରଫ କରିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ ପୀଡ଼ିତା ଖିଆପିଆ ସାରି ଗତ ୮ତାରିଖ ରାତିରେ ଘରେ ଏକାକି ଶୋଇଥିବା ସମୟରେ ରାତି ପ୍ରାୟ ୧୨ଟା ବେଳେ ତାଙ୍କ ଗ୍ରାମର ଅଭିମନ୍ୟୁ କହଁର(୫୦) ତାଙ୍କୁ  ବଳପୂର୍ବକ ସେଠାରୁ ଉଠାଇ ନେଇ ସ୍କୁଲ ପାଖରେ ଥିବା ଏକ ବରଗଛ ତଳେ ଦୁଷ୍କର୍ମ କରିଥିଲା। ପୀଡ଼ିତା ପ୍ରତିବାଦ କରି ପାଟି କରିବାରୁ ଅଭିମନ୍ୟୁ ତାଙ୍କୁ ମାଡ଼ ମାରିବା ସହ ମୁହଁକୁ ବାନ୍ଧିଦେଇଥିବା ଏତଲାରେ ଦର୍ଶାଯାଇଛି। ପରେ ଏ କଥା କାହାକୁ କହିଲେ ଟିକି ଟିକି କରି କାଟି ତୋତେ ଫିଙ୍ଗି ଦେବି ବୋଲି ଅଭିଯୁକ୍ତ ଧମକ ଦେଇଥିଲା।

ମକର ଯାତ୍ରା ଦେଖି ଯାଇଥିବା ବେଳେ ଗିରଫ

ଅଭିଯୁକ୍ତ ଅଭିମନ୍ୟୁ କହଁର ମକର ଯାତ୍ରା ଦେଖିବାକୁ ବୌଦ୍ଧ-ନୟାଗଡ ଜିଲ୍ଲା ସୀମାନ୍ତ ବାଣୀଗୋଛା ଯାଇଥିଲା। ଏହି ସୂଚନା ମିଳିବା ପରେ ହରଭଙ୍ଗା ପୁଲିସ ବାଣୀଗୋଚ୍ଛାରେ ପହଞ୍ଚି ଅଭିମନ୍ୟୁକୁ ଖୋଜି ଗିରଫ କରିଥିଲା।

ମାତ୍ର ଘଟଣା ସମୟରେ ପୀଡ଼ିତାଙ୍କ ଘରଲୋକେ କେହି ନଥିବାରୁ ସେ କାହାକୁ କିଛି ନ କହି ଭୟରେ ଚୁପ ରହିଥିଲେ। ହେଲେ ଗତକାଲି ତାଙ୍କର ଭାଇମାନେ ଘରକୁ ଆସିବାରୁ ସେ ସେମାନଙ୍କୁ ସବୁକଥା ବୟାନ କରିଥିଲେ। ଭାଇମାନେ ସବୁ ଶୁଣିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇ ଶୁକ୍ରବାର ଲିଖିତ ଭାବେ ଜଣାଇଥିଲେ। ଗତ ପ୍ରାୟ ୨ବର୍ଷ ତଳେ ପୀଡିତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା ଓ ନିୟତିର ନିଷ୍ଠୁର ନିର୍ଦ୍ଦେଶ କ୍ରମେ ବାପାଙ୍କ ଦଶାହ କର୍ମ ଦିନ ମା’ଙ୍କ ମଧ୍ୟ ବିୟୋଗ ହେବାପରେ ସେ ଏକ ପ୍ରକାର ଆଶ୍ରାହୀନ ହୋଇ ଭାଇଙ୍କ ପରିବାର ସହିତ ରହିଆସୁଥିଲେ।

ଭାଇମାନେ କାମଧନ୍ଦା ପାଇଁ ବାହାରକୁ ଯାଇଥିବା ବେଳେ ପୀଡିତାଙ୍କୁ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଜଣାପଡିଛି। ଏ ଘଟଣାକୁ ପୁଲିସ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଛି। ଗତକାଲି ଉଭୟ ପୀଡିତା ଓ ଅଭିଯୁକ୍ତଙ୍କର ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଡାକ୍ତରୀ ପରୀକ୍ଷା କରାଯାଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର