ବସ୍ ସଫା କଲେ ରାୟଗଡ଼ା ଜିଲ୍ଲାପାଳ: ସତର୍କ ରହିବା ପାଇଁ ଯାତ୍ରୀଙ୍କୁ ଦେଲେ ପରାମର୍ଶ
ସଚେତନତା ପାଇଁ ପ୍ରଚାରପତ୍ର ବାଣ୍ଟିଲା ପରିବହନ ବିଭାଗ, ସମସ୍ତ ଗାଡ଼ି ସଫା ପାଇଁ ନିୟୋଜିତ ହେଲେ କର୍ମଚାରୀ
ରାୟଗଡ଼ା: ବସ୍ ସଫା କଲେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ହାତରେ ସାନିଟାଇଜ ଲିକ୍ୟୁଡ୍ ଓ ସ୍ପଞ୍ଜ ଧରି ବସ୍ ସିଟ୍, ରେଲିଂ, ହ୍ୟାଣ୍ଡେଲ୍ ଓ ପ୍ରବେଶ ପଥକୁ ସଫା କରିବା ସହ ପରିଷ୍କାର, ପରିଚ୍ଛନ୍ନ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଟ୍ରିପ୍ ପରେ ଏବଂ ପୂର୍ବରୁ ବସ୍ ସଫା କରିବା ପରେ ହିଁ ଯାତାୟତ କରିବାକୁ ବସ୍ କର୍ତ୍ତୃର୍ପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବସଯାତ୍ରୀଙ୍କୁ କରୋନା କବଳରୁ ମୁକ୍ତ କରିବାକୁ ଏହି ପଦକ୍ଷେପ ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମଧ୍ୟାହ୍ନ ୧୨ଟାରେ ଜିଲ୍ଲାପାଳ ରାୟଗଡ଼ା ବସଷ୍ଟାଣ୍ଡ ପରିଦର୍ଶନରେ ଯାଇଥିଲେ। ବିଭିନ୍ନ ସ୍ଥାନକୁ ଯାତ୍ରା ଆରମ୍ଭ କରିବାକୁ ଥିବା ଏବଂ ଯାତ୍ରାରୁ ଫେରିଥିବା ବସ୍ ଗୁଡ଼ିକର ପରିଷ୍କାର, ପରିଚ୍ଛନ୍ନତାକୁ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ବସକୁ ଜିଲ୍ଲାପାଳ ନିଜେ ସଫା କରିବା ସହ ଉପସ୍ଥିତ ଥିବା କର୍ମଚାରୀଙ୍କୁ ସୁରକ୍ଷା ସଂପର୍କିତ ଟିପସ୍ ଦେଇଥିଲେ। ଯାତ୍ରା ସମୟରେ ସୁରକ୍ଷିତ ରହିବା ସହ ମାସ୍କ ପିନ୍ଧି ଯାତ୍ରା କରିବାକୁ ଯାତ୍ରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଅତି ଆବଶ୍ୟକ ନଥିଲେ ବସଯାତ୍ରାରୁ ଦୂରେଇ ରହିବାକୁ ଜିଲ୍ଲାପାଳ ଶ୍ରୀ ବେହେରା ଯାତ୍ରୀଙ୍କୁ ଅନୁରୋଧ କରିଥିଲେ।
ଯାତ୍ରା ସମୟରେ କୈଣସି ଯାତ୍ରୀ ଥଣ୍ଡା, କାଶ, ଛିଙ୍କ ରୋଗରେ ପୀଡ଼ିତ ଥିବା ଜଣା ପଡ଼ିଲେ ବସ୍ କଣ୍ଟକ୍ଟର୍ ତୁରନ୍ତ ଯାତ୍ରୀଙ୍କୁ ମାସ୍କ ଦେବା ସହିତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥି ସହିତ ପରିବହନ ବିଭାଗ ପକ୍ଷରୁ ସଚେତନତା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଚାର ପତ୍ରକୁ ଜିଲ୍ଲାପାଳ ବସଷ୍ଟାଣ୍ଡରେ ଉପସ୍ଥିତ ଥିବା ଯାତ୍ରୀଙ୍କୁ ବଣ୍ଟନ କରିଥିଲେ। ପରେ ଘରୋଇ ବସ୍ ମାଲିକ ସଂଘ ଓ ପୌର ପରିଷଦ ପକ୍ଷରୁ ମୁତୟନ ହୋଇଥିବା କର୍ମଚାରୀ ସମସ୍ତ ବସର ସଫେଇ କରିଥିଲେ।
ଓଡ଼ିଶା ରାଜ୍ୟ ପରିବହନ ପକ୍ଷରୁ ୯ଟି ରୁଟରେ ଚାଲିଥିବା ବସକୁ ସଫା କରିବା ପାଇଁ ପୌର ପରିଷଦ ପକ୍ଷରୁ ୪ କର୍ମଚାରୀ ଏବଂ ୨୫ଟି ରୁଟରେ ଚଳାଚଳ କରୁଥିବା ଘରୋଇ ବସ୍ ସଫା କରିବାକୁ ମାଲିକ ସଂଘ ପକ୍ଷରୁ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ହାତ ଧୋଇବା ପାଣି, ସାବୁନ୍, ସାନିଟାଇଜର ମହଜୁଦ୍ ରଖିବାକୁ ଜିଲ୍ଲାପାଳ ଘରୋଇ ବସ୍ ମାଲିକ ସଂଘକୁ ନିର୍ଦେଶ ଦେଇଛନ୍ତି। ବସଷ୍ଟାଣ୍ଡ ପରିସର ପରିଷ୍କାର, ପରିଚ୍ଛନ୍ନ ରଖିବା ସହ ଯାତ୍ରୀ ବିଶ୍ରାମଗାରକୁ ସଫା ରଖିବା ଦିଗରେ ପେର ପରିଷଦ ଗୁରୁତ୍ୱ ଦେବାକୁ ନିର୍ଦେଶ ହୋଇଛି।
କ୍ଷମତାଠୁ ଅଧିକ ଯାତ୍ରୀଙ୍କୁ ବସରେ ନ ନେବା ଲାଗି ଜିଲ୍ଲାପାଳ ବସ୍ ମାଲିକ ସଂଘକୁ ପରାମର୍ଶ ଦେଇଥିବା ବେଳେ ଏ ଦିଗରେ ଦୃଷ୍ଟି ରଖିବାକୁ ଜିଲ୍ଲା ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇଙ୍କୁ କହିଛନ୍ତି। ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା ସମୟରେ ପୌର ପରିଷଦ ର୍ନିବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ, ତହସିଲଦାର ଉମା ଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା, ଘରୋଇ ବସ୍ ମାଲିକ ସଂଘ ସଭାପତି ଗୋପିନାଥ ସାହୁ, ଉପ ସଭାପତି କେ. ଶ୍ରୀନୁ, ଯୁଗ୍ମ ସଂପାଦକ ଜିତୁ ପାଢୀ, କୋଷାଧ୍ୟକ୍ଷ ଗଦାଧର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।