ରାୟଗଡାରେ ୬୨ ପ୍ରତିଶତ ଭୋଟ ଇଭିଏମରେ ସିଲ୍ ହେଲା ୧୬ ପ୍ରାର୍ଥୀଙ୍କ ଭାଗ୍ୟ

ରାୟଗଡା: ସରିଲା ମତଦାନ। ଇଭିଏମରେ ସିଲ୍ ହେଲା ୧୬ ନେତାଙ୍କ ଭାଗ୍ୟ। ମେ’୨୩ରେ ପ୍ରକାଶ ପାଇବ ଫଳାଫଳ। ୩ ନିର୍ବାଚନ ମଣ୍ଡଳୀ ରାୟଗଡା, ବିଷମକଟକ, ଗୁଣପୁରରେ ଜନମତ ନିଜ ସପକ୍ଷରେ ଯିବା ନେଇ ସବୁ ଦଳ ଅଙ୍କ କଷିଛନ୍ତି। କିନ୍ତୁ ମତଦାନ ହାର ନୈରାଶ୍ୟଜନକ ଥିବାରୁ ବିଜୟକୁ ନେଇ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ବିଜେପି ଚିନ୍ତାରେ ପଡିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଜିଲ୍ଲାରେ ମତଦାନ ହାର ୭୭.୪୩ ପ୍ରତିଶତ ଥିବା ବେଳେ ୨୦୧୯ରେ ତାହା ୬୨ ପ୍ରତିଶତକୁ ଖସି ଆସିଛି। ଚଳିତ ବର୍ଷ ୪୪ ହଜାର ୬୯୪ ନୂଆ ଭୋଟର ସତ୍ତ୍ବେ ମତଦାନ ହାର କମିବା ପ୍ରାର୍ଥୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଶେଷ ଖବର ସୁଦ୍ଧ ରାୟଗଡାରେ ୬୨, ଗୁଣପୁରରେ ୬୧ପ୍ରତିଶତ, ବିଷମକଟକରେ ୬୩ ପ୍ରତିଶତ ମତଦାନ ହୋଇଥିବା ଜଣା ପଡିଛି। ୩ ନିର୍ବାଚନ ମଣ୍ଡଳୀ ପାଇଁ ୮୭୧ବୁଥରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ନ ୪ଟା ସୁଦ୍ଧା ଭୋଟ ଗ୍ରହଣ ଶେଷ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦେଶ ଥିଲା। କିନ୍ତୁ କିଛି ସ୍ଥାନରେ ଇଭିଏମ୍ ଓ ଭିଭିପାଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଜନମତ ସଂଗ୍ରହ ବିଳମ୍ବ ହୋଇଥିଲା।
କୋଲନରା ବ୍ଲକର ରେଖାପଦର, ହାତୀଖମ୍ବ, ପଦ୍ମପୁର, ବଡଚମ୍ପିଆରେ ଇଭିଏମ୍ ଖରାପ ଯୋଗୁ ୨ଘଣ୍ଟା ମତଦାନ ବିଳମ୍ବ ହୋଇଥିଲା। ସେହିପରି ରାୟଗଡା ସହରର ୨୦୯ ନଂ ବୁଥରେ ବିଧାନସଭା ପାଇଁ ଲାଗିଥିବା ଇଭିଏମ୍ ଖରାପ ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ନିର୍ଧାରିତ ସମୟରେ ସହରାଞ୍ଚଳକୁ ଛାଡିଲେ ଅଧିକାଂଶ ବୁଥରେ ଭୋଟ ଗ୍ରହଣ ଶେଷ ହୋଇପାରିନଥିଲା। କଲ୍ୟାଣସିଂହପୁର, କାଶୀପୁର, ଗୁଡାରୀ ବ୍ଲକର କିଛି ବୁଥରେ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। କିନ୍ତୁ ମତଦାନ ଆଶାତୀତ ହୋଇନଥିଲା। ପ୍ରାରମ୍ଭରୁ ହିଁ ମତଦାନ ହାର କମ୍ ରହିଥିଲା। ସକାଳ ୯ଟା ସୁଦ୍ଧା ମାତ୍ର ୧୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରାହ୍ନ ଗୋଟାଏ ବେଳକୁ ଗୁଣପୁର ନିର୍ବାଚନ ମଣ୍ଡଳୀରେ ୩୪ ପ୍ରତିଶତ, ବିଷମକଟକରେ ୩୧ ପ୍ରତିଶତ ଏବଂ ରାୟଗଡାରେ ୩୨ ପ୍ରତିଶତ ମତଦାନ ହୋଇଥିଲା। ଅପରାହ୍ନ ୩ଟା ବେଳକୁ ସ୍ଥିତିରେ ସାମାନ୍ୟ ପରିବର୍ତନ ଆସି ମତଦାନ ହାର ୪୫.୯୯ ପ୍ରତିଶତକୁ ବୃଦ୍ଧି ପାଇଥିଲା। ସଂଧ୍ୟା ୫ଟା ସୁଦ୍ଧା ଜିଲ୍ଲାର ୩ ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୫୨.୯୮ ପ୍ରତିଶତ ଥିଲା। ଯାହା ବିଗତ ନିର୍ବାଚନର ମତଦାନ ହାରଠୁ ବହୁତ କମ୍। ୨୦୧୪ ନିର୍ବାଚନରେ ଜିଲ୍ଲାରେ ମତଦାନ ହାର ୭୭.୪୩ ପ୍ରତିଶତ ଥିଲା। ଗୁଣପୁର ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୭୩.୯୧, ବିଷମକଟକରେ ୮୦.୪୩, ରାୟଗଡାରେ ୭୭.୯୫ ପ୍ରତିଶତ ମତଦାନ ହୋଇଥିଲା। ଶତ ପ୍ରତିଶତ ମତଦାନ ସାଙ୍ଗକୁ ନିର୍ବାଚନକୁ ଅବାଧ, ବ୍ୟୟମୁକ୍ତ କରିବା ପାଇଁ ନିର୍ବାଚନ କମିଶନଙ୍କ ସମେତ ପୁଲିସ୍ ଓ ଜିଲ୍ଲା ପ୍ରଶାସନ ଦୁଇ ମାସ ପୂର୍ବରୁ କସରତ ଆରମ୍ଭ କରିଥିଲା। ୨୦୧୯ ଜାନୁଆରି ସୁଦ୍ଧା ଜିଲ୍ଲାରେ ନୂଆ ଭୋଟର ତାଲିକା ପ୍ରକାଶ ପାଇଥିଲା। ଭୋଟର ତାଲିକାରେ ବହୁ ଯୁବପିଢ଼ି ସାମିଲ୍ ହୋଇଥିଲେ। ପୁରୁଷ ଭୋଟର ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ଥିଲା। ଭିନ୍ନକ୍ଷମଙ୍କୁ ସହାୟତା ପାଇଁ ପ୍ରତି ବୁଥରେ ସ୍ବେଚ୍ଛ‌ାସେବୀଙ୍କ ସହ ହ୍ବିଲ୍ ଚେୟାର ବ୍ୟବସ୍ଥା ସହ ମାଓ ପ୍ରବାଭିତ ଅଞ୍ଚଳରେ ଭୟ ମୁକ୍ତ ନିର୍ବାଚନ ପାଇଁ ପୁଲିସ୍ ପକ୍ଷରୁ କମ୍ବିଂ ଓ ସର୍ଚ ଅପରେସନ୍ ଜୋରଦାର୍ ହୋଇଥିଲା। ଯେଉଁଥି ପାଇଁ ଆଜି ବିନା ଅଘଟଣରେ ଜିଲ୍ଲାରେ ନିର୍ବାଚନ ଶାନ୍ତି, ଶୃଂଖଳାର ସହ ଶେଷ ହୋଇଛି। ରାୟଗଡା, ବିଷମକଟକ, ଗୁଣପୁର ନିର୍ବାଚନ ମଣ୍ଡଳୀରେ ୧୬ ପ୍ରାର୍ଥୀଙ୍କ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ସମସ୍ତ ପ୍ରାର୍ଥୀ ଆଜି ନିଜର ମତଦାନ କରିଛନ୍ତି। ରାୟଗଡା ସହରର ବିଭିନ୍ନ ବୁଥରେ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ରାୟଗଡା ବିଧାନସଭା ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା, ବିଜେପି ପ୍ରାର୍ଥୀ ବସନ୍ତ ଉଲ୍ଲକା, କଂଗ୍ରେସ ପ୍ରାର୍ଥୀ ଆପଲାସ୍ବାମୀ କାଡ୍ରେକା ପ୍ରମୁଖ ଭୋଟଦାନ କରିଥିଲେ। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶର୍ବଣା ବିବେକ ଏମଙ୍କ ସମେତ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ ନିର୍ବାଚନ କାର୍ଯ୍ୟର ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର