ପତ୍ନୀହନ୍ତାକୁ ଆଜୀବନ ଜେଲ୍‌

ଗୁଣପୁର: ଯୌତୁକ ଜନିତ ଏକ ହତ୍ୟା ମାମଲାର ଶୁଣାଣି କରି ରାୟଗଡା ଜିଲ୍ଲା ଗୁଣପୁର ଏଡିଜେ କୋର୍ଟ ପତ୍ନୀହନ୍ତାକୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଏଥିସହ ୨୦ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ପଦ୍ମପୁର ଗ୍ରାମର ନୀଳାଦ୍ରି ପାଣିଗ୍ରାହୀଙ୍କ ପୁଅ କୃଷ୍ଣଚନ୍ଦ୍ର ଗତ ୨୦୧୨ ଡିସେମ୍ବର ୮ତାରିଖରେ ଆନ୍ଧ୍ରର ପ୍ରସାଦ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଅନିତାଙ୍କୁ ବିବାହ କରିଥିଲେ। ଏହି ସମୟରେ ଅନିତାଙ୍କ ପରିବାର ‌ପକ୍ଷରୁ ଯୌତୁକ ବାବଦକୁ ୧୦ତୋଳା ସୁନା, ୫ଲକ୍ଷ ଟଙ୍କା ସମେତ ଆସବାବପତ୍ର ପ୍ରଦାନ କରାଯାଇଥିଲା। ତେବେ ଅଧିକ ଯୌତୁକ ଆଣିବା କହି କୃଷ୍ଣଚନ୍ଦ୍ର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅନିତା ନିଜ ବାପାଙ୍କୁ କହିଥିଲେ। ତେଣୁ ଅନିତାଙ୍କ ବାପା ୬ମାସ ତଳେ କୃଷ୍ଣଚନ୍ଦ୍ରଙ୍କ ଆକାଉଣ୍ଟରେ ୫୦ହଜାର ଟଙ୍କା ଜମା କରିଥିଲେ। ଏପରିକି ୩ମାସ ତଳେ ୧୨ଗ୍ରାମର ଏକ ସୁନାହାର ମଧ୍ୟ ଦେଇଥିଲେ। ତେବେ ୨୦୧୬ ମେ ୪ତାରିଖରେ ଅନିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ନେଇ ଅନିତାଙ୍କ ବାପା ପ୍ରସାଦ ପାଣିଗ୍ରାହୀ ପଦ୍ମପୁର ଥାନାରେ ଏତଲା ଦେଇଥିଲେ। ପ୍ରଥମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅନିତାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିବା ପରେ ପୁଲିସ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ କୃଷ୍ଣଚନ୍ଦ୍ର ଗୁଣପୁର ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହି ଆସୁଥିଲେ। ଆଜି ଏଡିଜେ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଉଭୟ ପକ୍ଷର ଯୁକ୍ତିକୁ ବିଚାର କରି ବିଚାରପତି ନିଶିଥ ନିଶଙ୍କ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ପ୍ରକାଶ କରିଥିଲେ। ଏଥିସହ ଯୌତୁକ ବିରୋଧୀ ଆଇନ ଅନୁଯାୟୀ ଏକ ବର୍ଷ ଜେଲ୍ ଓ ୫ହଜାର ଟଙ୍କା ଜୋରିମାନା ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଏସ. ଗଣପତି ରାଓ ଓ ମୃତ ଅନିତାଙ୍କ ପରିବାର ପକ୍ଷରୁ ସରକାରୀ ଓକିଲ ଗଦାଧର ପଣ୍ଡା ମାମଲା ପରିଚାଳନା କରୁଥିଲେ। ଅନ୍ୟପଟେ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟର ଆଶ୍ରୟ ନିଆଯିବ ବୋଲି ଆଇନଜୀବୀ ଏସ. ଗଣପତି ରାଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର