ବିଷାକ୍ତ ଫଳ ଖାଇ ୧୪ଛାତ୍ର ଅସୁସ୍ଥ

ଗୁଣପୁର: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଲେଙ୍ଗେତାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪ଜଣ ଛାତ୍ର ବିଷାକ୍ତ ଫଳ ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ରାୟଗଡା ଜିଲ୍ଲାର ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ସ୍କୁଲର କିଛି ଛାତ୍ର ଗାଁ ନିକଟରେ କାଲ ନାମକ ଏକ ଫଳ ଖାଇଥିଲେ। ଏହାର କିଛି ସମୟ ପରେ ୧୪ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅନେକ ଥର ଝାଡାବାନ୍ତି ହେବାରୁ ୧୪ଜଣ ଆଦିବାସୀ ଛାତ୍ରଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।

ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଜାରି ରହିଥିବା ଶିଶୁରୋଗ ବିଶେଷଜ୍ଞ ଡା. ଗୌରୀବାଳା ବେହେରା କହିଛନ୍ତି। ମେଡିକାଲରେ ଗ୍ରାମବାସୀ ଓ ସ୍କୁଲ କର୍ତୃପକ୍ଷ ଉପସ୍ଥିତ ରହିଛନ୍ତି। ବିଦ୍ୟାଳୟର କପିଲ କାର୍ଜି, ଅଭିଶୟ ରଇତ, ପିୟୁଷ ଶବର, ଇଜରାଶ ରଇତ, ଫ୍ରାନସିସ ଶବର ଓ ବିଲିୟମ ରଇତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଝାଡାବାନ୍ତି ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ଡା. ବେହେରା ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଏହି ଛାତ୍ର ମାନେ ଏକ ଘରୋଇ ହଷ୍ଟେଲରେ ରହି ଲେଙ୍ଗେତାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି।

ସମ୍ବନ୍ଧିତ ଖବର