୨୮୭କିଲୋ-ଗଞ୍ଜେଇ-ଜବତ-୪ଗିରଫ,

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଇବନ୍ଧା ଗ୍ରାମ ନିକଟରୁ ପୁଲିସ ଏକ ଟାଟା ମ୍ୟାଜିକ୍‌ରୁ ୨୮୭କିଲୋ ଗଞ୍ଜଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛିି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ବୋଲି ପୁଲିସ କହିଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟାରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମରୁ ଏକ ଟାଟା ମ୍ୟାଜିକ୍‌(ଓଡି ୧୮ବି ୬୫୨୪) ଯୋଗେ ଗଞ୍ଜେଇ ବୋଝେଇ ହୋଇ କେନ୍ଦୁଗୁଡା ଚୋରାଚାଲାଣ ହେଉଥିଲା। ଏନେଇ ପଦ୍ମପୁର ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନିକଟରେ କୌଣସି ସୂତ୍ରରୁ ଖବର ପହଞ୍ଚିଥିଲା। ପରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ କେନ୍ଦୁଗୁଡା ବ୍ରିଜ୍‌ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା ଗାଡିଟିକୁ ଅପେକ୍ଷା କରି ରହିଥିଲେ। ଗାଡିଟି କେନ୍ଦୁଗୁଡା ବ୍ରିଜ୍‌ ନିକଟରେ ପହଞ୍ଚିବା ପରେ ପୁଲିସ ଗାଡିଟିକୁ ଅଟକାଇଥିଲା। ତେବେ ଡ୍ରାଇଭର ଗାଡି ନଅଟକାଇ ତୀବ୍ର ଗତିରେ ଚାଲି ଯାଇଥିଲେ। ପରେ ପୁଲିସ ଟିମ୍‌ ଗାଡିଟିର ପିଚ୍ଛା କରି ଗୁଇବନ୍ଧା ନିକଟରେ ଅଟକାଇଥିଲା। ଯାଞ୍ଚ କରିବା ସମୟରେ ଗାଡି ଭିତରେ ୧୨ଟି ବସ୍ତାରେ ଗଞ୍ଜେଇ ଥିବା ପୁଲିସ ଦେଖିବାକୁ ପାଇଥିଲା। ଗାଡିରେ ଗଞ୍ଜେଇ ଥିବା ଜଣାପଡିବା ପରେ ପୁଲିସ ଗାଡି ଭିତରେ ବସିଥିବା ୩ଜଣ ଯୁବକ ଓ ଡ୍ରାଇଭରଙ୍କୁ ଗିରଫ କରିଥିଲା। ପୁଲିସ ଜବତ ଗଞ୍ଜେଇ ଓ ଗିରଫ ୪ଜଣଙ୍କୁ ଥାନାକୁ ନେଇଥିଲା।

ପୁଲିସ ଏହି ଘଟଣାରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମର ଲୁରେନ ମିଶାଲଙ୍କ ସମେତ ଅଜୟ ପାଲ, ଆନନ୍ଦ ରାଇକା ଓ ଗାଡି ଡ୍ରାଇଭର ଆପୋଲୋ ରାଇକାଙ୍କୁ ଗିରଫ କରିଛି। ଆଜି ସକାଳେ ପଦ୍ମପୁର ଅତିରିକ୍ତ ତହସିଲଦାର ସଂଜୟ କୁମାର ଦାଶ ମାଜିଷ୍ଟ୍ରେଟ୍‌ ଭାବେ ଉପସ୍ଥିତ ରହି ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରାଇଥିଲେ। ଓଜନ ପରେ ଜବତ ହୋଇଥିବା ଗଞ୍ଜେଇର ଓଜନ ୨୮୭କିଲୋ ୩ଶହ ଗ୍ରାମ ବୋଲି ଜଣାପଡିଥିଲା। ଏହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ସୂଚନା ଦେଇଛନ୍ତି। ସେହିପରି ପୁଲିସ ୩ଜଣ ଯୁବକଙ୍କ ଠାରୁ ୪୭ହଜାର ୫ଶହ ଟଙ୍କା ଜବତ କରିଛି। ଏନେଇ ପଦ୍ମପୁର ଥାନାରେ କେଶ୍‌ ନଂ-୧୪/୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଗିରଫ ୪ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର