ମୁନିଗୁଡ଼ା :୪୦କିଲୋ ଗଞ୍ଜେଇ ଜବତ, ୩ଗିରଫ / ବୈପାରିଗୁଡ଼ା: ୭୯ କିଲୋ ଗଂଜେଇ ଜବତ

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଞ୍ଜିକୁସୁମ-ବକ୍ସି ସିରିପୁର ରାସ୍ତାରୁ ପୁଲିସ ୨ଟି ବାଇକ୍‌ରୁ ୪୦କିଲୋ ଗଞ୍ଜେଇ ଜବତ କରିଛି। ସେହିପରି ୩ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯିବା ସହ ୨ଟି ବାଇକ୍‌ ଓ ୩ଟି ମୋବାଇଲ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ବିଷମକଟକ ଅଞ୍ଚଳରୁ ଗତକାଲି ସଂଧ୍ୟାରେ ୨ଟି ବାଇକ୍‌ ଯୋଗେ ମୁନିଗୁଡା ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ମୁନିଗୁଡା ପୁଲିସ ନିକଟରେ ଖବର ପହଞ୍ଚିଥିଲା। ଗଞ୍ଜେଇ ଜବତ କରିବା ନିମନ୍ତେ ଥାନା ଅଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଏକ ଟିମ୍‌ ବାଞ୍ଜିକୁସୁମ-ବକ୍ସି ସିରିପୁର ରାସ୍ତାରେ ଅପେକ୍ଷା କରି ରହିଥିଲେ। ଦୁଇଟି ବାଇକ୍‌ ଏହି ରାସ୍ତା ଦେଇ ଯିବା ସମୟରେ ପୁଲିସ ବାଇକ୍‌ ଚାଳକଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ପରେ ୨ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଜାଣିବା ପରେ ଉଭୟ ବାଇକ୍‌ରେ ଥିବା ୩ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଓ ବାଇକ୍‌ ଜବତ କରି ଥାନାକୁ ଆଣିଥିଲା। ପୁଲିସ ଏହି ଘଟଣାରେ ବିଷମକଟକ ଥାନା ଅନ୍ତର୍ଗତ ସାନ ବୁଡାହାଡ ଗ୍ରାମର ସୁଦର୍ଶନ ମୁନିକାଲୁ, ଭାଗିରଥି କୁସୁଲିଆ ଓ ନାଗେଶ୍ୱର ମୁନିକାଲୁଙ୍କୁ ଗିରଫ କରିଛି।

ଜବତ ହୋଇଥିବା ଗଞ୍ଜେଇକୁ ଆଜି ସକାଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଓଜନ କରାଯିବା ପରେ ଏହା ୪୩କିଲୋ ୮୫୦ଗ୍ରାମ ବୋଲି ଜଣାପଡିଥିଲା। ଏନେଇ ଥାନାରେ କେଶ୍‌ ନଂ ୪୮ ଓ ୪୯/୧୮ ଅନୁଯାୟୀ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଗଞ୍ଜେଇ ଜବତ ସମୟରେ ଥାନା ଅଧିକାରୀଙ୍କ ସମେତ ଏସ୍‌ଆଇ ଜ୍ୟୋତିରଂଜନ ବେହେରା, ଅନିଲ କୁମାର ଦେବତା, ପୁରୁଷୋତ୍ତମ ଜାନୀ, ପପୁ କୁମାର ନାୟକ, ଏଏସ୍‌ଆଇ ସର୍ବେଶ୍ୱର ଖାଡଙ୍ଗା ଓ କନେଷ୍ଟବଳ କୃତ୍ତିବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବୈପାରିଗୁଡ଼ା : ବୈପାରିଗୁଡ଼ା ପୁଲିସ ଦ୍ୱାରା ୭୯କେଜି ଗଂଜେଇ ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବୈପାରିଗୁଡ଼ା ପୁଲିସ ରାତି ପ୍ରାୟ ୩ଟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ପିକଅପ ଭ୍ୟାନ (ଓଆର ୧୦ଏଚ ୨୪୩୦)କୁ ସନ୍ଦେହକରି ଅଟକାଇଥିଲେ। କିନ୍ତୁ ଗାଡି ଅଟକି ନଥିଲା। ଏହାପରେ ଗାଡିକୁ ପଛରୁ ଗୋଡ଼ାଇ ନିକଟସ୍ଥ ଗାନ୍ଧିପୁର ଠାରେ ଧରିଥିଲେ। ଏହାପରେ ଗାଡି ଯାଞ୍ଚ ବେଳେ ୭୯ କିଲୋ ଗଂଜେଇ ଜବତ କରିଥିଲେ। ପୁଲିସ ଗାଡି ଓ ଗଂଜେଇ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର