ଚୋରି ଜିନିଷ ଜବତ, ୫ଗିରଫ

ରାୟଗଡ଼ା: ରାୟଗଡା ସାଇପ୍ରିୟା ନଗରରୁ ଚୋରି ମାମଲାରେ ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ଅନେକ ଚୋରି ଘଟଣାରେ ସଂପୃକ୍ତ ଥିବା ପୁଲିସ କହିଛି। ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜ କିଶୋର ଦାଶ ସୂଚନା ଦେଇ କହିଛନ୍ତି ଯେ, ସେପ୍ଟେମ୍ବର ୧୨ତାରିଖ ଦିନ ସ୍ଥାନୀୟ ସାଇପ୍ରିୟା ଦ୍ୱିତୀୟ ଲାଇନରେ ରହୁଥିବା ଚିନାରୀ ଚନ୍ଦ୍ର ଶେଖର ସୁବୁଦ୍ଧି ଏବଂ ତାଙ୍କ ପତ୍ନୀ ବଜାରକୁ ଯାଇଥିଲେ। ରାତି ୮ ଟାରେ ଫେରିବା ବେଳକୁ ଘର ବାହାର କବାଟ ଭାଂଗି ଆଲମାରିରୁ ନଗଦ ୬ ହଜାର ଟଙ୍କା ଏବଂ ୧୪୮ ଗ୍ରାମ ସୁନା ଅଳାଙ୍କର ସହ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି ହୋଇଯାଇଥିଲା। ଏହି ସଂପର୍କରେ ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ସମୟରେ ଚୋରିରେ ସଂପୃକ୍ତ ଦୁର୍ବୃତ୍ତଙ୍କ ସଂପର୍କରେ ସୁରାକ ପାଇଥିଲେ।

ଜଣ ଜଣ କରି ୫ ଜଣଙ୍କୁ ଧରି ପଚରା ଉଚରା ସମୟରେ ସେମାନେ ଏକାଧିକ ଚୋରି ମାମଲାରେ ଜଡିତ ଥିବା ନେଇ ସ୍ୱୀକାର କରିଥିଲେ ବୋଲି ଏସଡ଼ିପିଓ ଶ୍ରୀ ଦାଶ ପ୍ରକାଶ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରାମକୃଷ୍ଣ ନଗର ଅଞ୍ଚଳ ଏମପି କଲୋନିର ରବି ଶଙ୍କର ମହାନନ୍ଦିଆ (୨୭), ପ୍ରକାଶ ଖୋରା, ପି. ଶ୍ରୀକାନ୍ତ (୨୧), ମହେଶ ବାଂଗାରୀ (୨୭), ବୁଦରୱାଲ୍‌ସାର ମୁନ୍ଦରୀ ହରି (୨୧) ରହିଛନ୍ତି। ସେମାନଙ୍କ ଠାରୁ ୮୪ଗ୍ରାମ ସୁନା ଅଳାଙ୍କର ଜବତ କରାଯାଇଛି। ଏହାବ୍ୟତୀତ ଏମ.ହରି, ରବି ଶଙ୍କର ମହାନନ୍ଦିଆ ଓ ପି.ଶ୍ରୀକାନ୍ତ ୩ରୁ ଅଧିକା ଚୋରି ଘଟଣାରେ ଲିପ୍ତ ରହିଛନ୍ତି ବୋଲି ଏସଡିପିଓ ସୂଚନା ଦେଇଥିଲେ। ଗିରଫ ୫ଜଣଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଂଜୁର ହୋଇଯିବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି କୃଷ୍ଣଚନ୍ଦ୍ର ଭାତ୍ରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର