କିଡନି ରୋଗରେ ଜଣେ ମୃତ : ଗୋପୀକାଙ୍କୁବାଡ଼ି ଗ୍ରାମବାସୀ ଆତଙ୍କିତ

ଦେଢବର୍ଷ ମଧ୍ୟରେ ମଲେଣି ୭ ଜଣ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷକୁ ୩୫କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ କେବଳ କାଗଜ କଲମ ଏବଂ ପ୍ରଚାର ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ବାହାବା ନେବାରେ ବ୍ୟସ୍ତ ଥିବା ଯୋଗୁଁ ଲୋକେ ବିଭିନ୍ନ ରୋଗରେ ପୀଡିତ ହୋଇ ପୋକ ମାଛି ଭଳି ମରୁଥିବାରୁ ବୁଦ୍ଧିଜିବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ବିଭାଗର ସାଂଘାତିକ ଅବହେଳା, ଦୋଷ ଦୁର୍ବଳତା ରହିଥିବା ତଦନ୍ତରେ ପ୍ରମାଣିତ ହେଲେ ମଧ୍ୟ ଉଚ୍ଚ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଘଣ୍ଟ ଘୋଡାଇ ଆସୁଥିବା ବହୁ ନଜିର ରହିଛି। ସେହିପରି ଜିଲ୍ଲାରେ କେବଳ ରୋଗ ଉପରେ ସଚେତନ ପାଇଁ ବିଭିନ୍ନ ସମୟରେ ସଚେତନ ରଥ ପରିକ୍ରମା କରାଇ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଅନେକ ଅଗ୍ରଗତି ହୋଇଥିବା ନେଇ ଡ଼ିଣ୍ଡିମ ପିଟାଯାଉଛିି।
ଜିଲ୍ଲା ସଦର ମହକୁମାରୁ ମାତ୍ର ୨୦ କିମି ଦୂରରେ ଅବସ୍ଥିତ କୋଲନରା ବ୍ଲକ ସ୍ଥିତ ଡ଼ିମିରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପିକାଙ୍କୁବାଡ଼ି ଗାଁରେ କିଡନି ରୋଗରେ ବହୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ଗାଁରେ ସାତ ଜଣ ଏହି ରୋଗରେ ପୀଡିତ ହୋଇଥିବା ବେଳେ ଆଜି ଜଣକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆର୍ଥିକ ଅଭାବରୁ ଉତ୍ତମ ଚିକିତ୍ସା କରାଇବା ତାଙ୍କ ପକ୍ଷରେ ସମ୍ଭବ ନଥିବାରୁ ଭାଗ୍ୟକୁ ଆଦରି ରହିଛନ୍ତି। ପ୍ରାୟ ତିନି/ଚାରି ବର୍ଷ ହେଲା ଗ୍ରାମବାସୀ ଏହିଭଳି ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏସଂପର୍କରେ କିପରି ଜାଣିପାରିଲେ ନାହିଁ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଆଜି ଗୋପିକାଙ୍କୁବାଡ଼ି ଗ୍ରାମକୁ କେତକ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଏହା ଲୋକଲୋଚନକୁ ଆସିିଥିଲା। କିଡନି ରୋଗରେ ପୀଡିତ ଖଗପତି ଭାତ୍ରିଆ(୩୨)ଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଅଳ୍ପ ସମୟ ରହିବା ପରେ ଖଗପତିଙ୍କ ମୃତ୍ୟୁ ଘଟିଥିଲା। ମୃତ ଖଗପତିଙ୍କ ସ୍ତ୍ରୀ, ପୁଅ, ଝିଅ ରହିଛନ୍ତି। ଗତ ତିନି ବର୍ଷ ହେଲା ସେ କିଡନି ରୋଗରେ ପୀଡିତ ଥିବା ବେଳେ ସପ୍ତାହେ ହେଲା ଗୁରୁତର ହୋଇପଡ଼ିଥିଲେ। ଚିକିତ୍ସା କରେଇବା ପାଇଁ କୌଣସି ଉପାୟ ନପାଇ ପରିବାର ଲୋକ ଚୁପ ହୋଇ ରହିଯାଇଥିଲେ। ଖଗପତିଙ୍କ ଘର ନଥିବାରୁ ତାଙ୍କ ବଡ଼ ଭାଇ ଘରେ ରହୁଥିବା ଜଣାପଡ଼ିଛି। ସେହିଭଳି ଗାଁରେ କିଡନି ରୋଗରେ ଦଂପତ୍ତି ନରହରି ପାଲ(୫୬), ହେମ ପାଲ(୪୮)ଙ୍କ ସମେତ ତେଜି ମହାନନ୍ଦିଆ(୬୦), ପୂର୍ଣ୍ଣଚନ୍ଦ୍ର ମହାନନ୍ଦିଆ(୫୩), ମୁନୁଗା ବାଗ(୫୫), ଧନିଆ କୌଶଲ୍ୟା(୬୦) ବିଦ୍ୟାଧର ମହାନନ୍ଦିଆ(୪୮) ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ଗତ ଦେଢ ବର୍ଷ ମଧ୍ୟରେ ଏହି ରୋଗରେ ପୀଡିତ ହୋଇ ରାଜେଶ ମହାନନ୍ଦିଆ, କାଳିଆମଣି ମହାନନ୍ଦିଆ, ସୁନାଧର ବାତ୍ରିଆ, ଲୋକନାଥ କୌଶଲ୍ୟା, ସୁନାମା ମହାନନ୍ଦିଆ, ଅରବିନ୍ଦ ମହାନନ୍ଦିଆ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଗୋପିକାଙ୍କୁବାଡ଼ି ଗ୍ରାମର ଅନେକଙ୍କ ହାତଗୋଡ଼, ମୁହଁ, ଇତ୍ୟାଦି ଫୁଲି ଯାଇ ଅକାମୀ ଅବସ୍ଥାରେ ରହିଛନ୍ତି। ଏହି ସଂପର୍କରେ ଭାରପ୍ରାପ୍ତ ବିଡ଼ିଓ କେ.ଶିବଗୋପାଳ ରାଓଙ୍କୁ ପଚାରିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ଦଳ ନେଇ ଗୋପିକାଙ୍କୁବାଡି ଗାଁରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି। ଅପର ପକ୍ଷରେ ସ୍ୱାସ୍ଥ୍ୟ ଦଳ ଗାଁକୁ ଯାଇ ରିପୋର୍ଟ ଦେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି।
ଆଜି ସାମ୍ବାଦିକ ମାନେ ଉକ୍ତ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଆକ୍ରାନ୍ତଙ୍କୁ ଚିକିତ୍ସା ବ୍ୟବସ୍ଥା କରିବା ସହ କେଉଁ କାରଣରୁ ଗୋପିକାଙ୍କୁବାଡ଼ି ଗ୍ରାମବାସୀ କିଡନି ରୋଗରେ ପୀଡତ ହେଉଛନ୍ତି ତାହାର ଅନୁସନ୍ଧାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର