ଜଙ୍ଗଲ ଜମିକୁ ନେଇ ବିବାଦ :ସମାଧାନ ନିମନ୍ତେ ପ୍ରଶାସନର ଦ୍ୱାରସ୍ଥ

ଗୁଣପୁର: ଗୁଣପୁର ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ତିରଗଡା ମୌଜା ଅଞ୍ଚଳରେ ଥିବା ଜଙ୍ଗଲ ଜମିକୁ ନେଇ ଖଇରା ଓ ଘନାନ୍ତ୍ରୀ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଖୋଦେଇଛି। ଏହାର ସମାଧାନ ନିମନ୍ତେ ଆଜି ଘନାନ୍ତ୍ରୀ ଗ୍ରାମବାସୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଖଇରା ଗ୍ରାମର ତିରଗଡା ମୌଜା ଅଞ୍ଚଳରେ ଥିବା ଜଙ୍ଗଲ ଜମିରେ ଘନାନ୍ତ୍ରୀ ଗ୍ରାମର ଆଦିବାସୀ ମାନେ ଦୀର୍ଘ ବର୍ଷ ହେଲା ଚାଷ କରି ଆସୁଥିଲେ। କିନ୍ତୁ ଖଇରା ଗ୍ରାମର ଆଦିବାସୀ ମାନେ ନିଜ ଅଞ୍ଚଳରେ ଅନ୍ୟଙ୍କୁ ଚାଷ କରିବାକୁ ବାରଣ କରିବାରୁ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ଘନାନ୍ତ୍ରୀ ଗ୍ରାମର ଆଦିବାସୀ ଏହି ଜମିରେ ପୂର୍ବଭଳି ଚାଷ କରି ପାରୁନାହାନ୍ତି। ଖଇରା ଗ୍ରାମବାସୀଙ୍କ ଏଭଳି ପ୍ରତିବାଦକୁ ବିରୋଧ କରି ଆଜି ଘନାନ୍ତ୍ରୀ ଗ୍ରାମର ଶତାଧିକ ଆଦିବାସୀ ଗୁଣପୁର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳ ଉମା ପ୍ରସାଦ ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଶୀଘ୍ର ଏହି ବିବାଦର ସମାଧାନ କରିବାକୁ ଘନାନ୍ତ୍ରୀ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର